spot_img

Latest Posts

ଦିନିକିଆ ରାକିଂ: ରୋହିତ ପୁଣି ନମ୍ବର ଓ୍ବାନ, T-20ରେ ଜିମ୍ବାଓ୍ବେ ଖେଳାଳି ଏକ ନମ୍ବର

ଦିନିକିଆ ରାକିଂ: ରୋହିତ ପୁଣି ନମ୍ବର ଓ୍ବାନ, T-20ରେ ଜିମ୍ବାଓ୍ବେ ଖେଳାଳି ଏକ ନମ୍ବର

ନନ୍ଦିଘୋଷ ବ୍ୟୁରୋ: ରୋହିତ ଶର୍ମା ଫ୍ୟାନଙ୍କ ପାଇଁ ଖୁସି ଖବର । ଦିନିକିଆ କ୍ରିକେଟରେ ପୁଣି ଏକ ନମ୍ବର ଖେଳାଳି ବନିଲେ ହିଟ୍ ମ୍ୟାନ ରୋହିତ । ଗତ ସପ୍ତାହାରେ ରୋହିତଙ୍କୁ ଏକ ନମ୍ବର ପଦରୁ ହଟାଇ ଡେରଲ ମିଚେଲ ଏହି ପଦ ହାସଲ କରିଥିଲେ । ତେବେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଦୁଇଟି ଦିନିକିଆରୁ ମିଚେଲ ବାହାରେ ରହିବା କାରଣରୁ ପୁଣି ଦ୍ବିତୀୟ ସ୍ଥାନକୁ ଚାଲି ଆସିଛନ୍ତି । ଏବେ ୭୮୧ ରେଟିଂ ସହ ରୋହିତ ଏକ ନମ୍ବରରେ ଥିବା ବେଳେ ୭୬୬ ପଏଣ୍ଟ ସହ ମିଚେଲ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ନଭେମ୍ବର ୩୦ ତାରିଖରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ତିନିଟିକିଆ ସିରିଜରେ ରୋହିତଙ୍କ ବ୍ୟାଟ ଚାଲିଲେ ମିଚେଲଙ୍କ ସହ ତାଙ୍କ ରେଟିଂରେ ବ୍ୟବଧାନ ବଢ଼ିଯିବ ଓ ସେ ପୁଣି ଲମ୍ବା ସମୟ ଧରି ଏକ ନମ୍ବର ଖେଳାଳି ହୋଇ ରହି ପାରିବେ ।

T20ରେ ଜିମ୍ବାଓ୍ବେ ଖେଳାଳି ନମ୍ବର ଓ୍ବାନ୍

ଆଜିର ଦିନରେ ଟି୨୦ ଫର୍ମାଟ କ୍ରିକେଟରେ ସବୁଠାରୁ ଅଧିକ ଲୋକପ୍ରିୟ ହୋଇପାରିଛି । ଏଥିରେ ନିଜ ବ୍ୟାଟିଂର କମାଲ ଦେଖାଉଛନ୍ତି ଖେଳାଳି । ତେବେ ଏହି ଫର୍ମାଟରେ ଅଲରାଉଣ୍ଡରଙ୍କ ଜଲଓ୍ବା ଦେଖିବାକୁ ମିଳୁଛି । ମ୍ୟାଚର ଫଳାଫଳ ଅଲରାଉଣ୍ଡରଙ୍କ ଖେଳ ଉପରେ ନିର୍ଭର କରୁଛି । ବିଶ୍ବର ଟପ୍ ଟିମରେ ଅଲରାଉଣ୍ଡରଙ୍କ ମଧ୍ୟରେ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳୁଛି । ହେଲେ ଏହି ଫର୍ମାଟରେ ଜିମ୍ବାଓ୍ବେର ଜଣେ ଖେଳାଳିଙ୍କ ଜଲଓ୍ବା ଦେଖିବାକୁ ମିଳୁଛି । ଟି୨୦ ଇଣ୍ଟରନ୍ୟାସନାଲ ରେକିଂରେ ଜିମ୍ବାଓ୍ବେ ଅଧିନାୟକ ସିକନ୍ଦର ରାଜା ଏକ ନମ୍ବର ଅଲରାଉଣ୍ଡର ବନି ଯାଇଛନ୍ତି । ସେ ସେମ୍ ଆୟୁବଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି ।

ଦମଦାର ଫର୍ମରେ ରୋହିତ

ରୋହିତଙ୍କୁ ନେଇ ଭଲ ଖବର ହେଲା, ଏବେ ସେ ଦମଦାର ଫର୍ମରେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସେ ସବୁଠାରୁ ଅଧିକ ୨୦୨ ରନ କରିବା ସହ ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ । ଏହି ସିରିଜରେ ରୋହିତଙ୍କ ବ୍ୟାଟରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ବାହାରି ଥିଲା ।

ସୂଚନାଯୋଗ୍ୟ, ସିଡନୀ ଦିନିକିଆ ପରେ ରୋହିତ କୌଣସି ପ୍ରାକ୍ଟିସ ମ୍ୟାଚ୍ ଖେଳିନାହାନ୍ତି । ଏମିତି ସ୍ଥିତିରେ ରାଞ୍ଚି ଦିନିକିଆରେ ଭଲ ପ୍ରଦର୍ଶନ କରିବା ତାଙ୍କ ପାଇଁ କଷ୍ଟକର ହୋଇପାରେ । ଏମିତି ସ୍ଥିତିରେ ନିଜକୁ ପ୍ରସ୍ତୁତ କରିବାକୁ ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ଫିଜିଓ ଥେରାପିଷ୍ଟ ଅମିତ ଦୁବେଙ୍କ ପାଖରୁ ପରାମର୍ଶ ନେଉଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ରେକର୍ଡ ଖରାପ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତଙ୍କ ରେକର୍ଡ ଏତେ ଭଲ ନୁହେଁ । ଏହି ଟିମ ବିପକ୍ଷରେ ରୋହିତ ୨୬ଟି ଦିନିକିଆ ଖେଳିଛନ୍ତି । ହେଲେ ମାତ୍ର ୩୩.୫୮ ହାରରେ ୮୦୬ ରନ୍ କରିଛନ୍ତି । ଏଥିରେ ୩ଟି ଶତକ ଓ ୨ଟି ଅର୍ଦ୍ଧଶତକ ରହିଛି । ତେବେ ଘରୋଇ ପଚରେ ରୋହିତଙ୍କ ରେକର୍ଡ ଭଲ ରହିଛି । ରୋହିତ ଭାରତରେ ୯୩ଟି ଦିନିକିଆରୁ ୫୭.୨୫ ହାରରେ ୪୮୬୭ ରନ୍ କରିଛନ୍ତି । ଏଥିରେ ୧୪ଟି ଶତକ ଓ ୨୨ଟି ଅର୍ଦ୍ଧଶତକ ରହିଛି ।

ସୂଚନାଯୋଗ୍ୟ, ରୋହିତ ଟେଷ୍ଟ ଓ ଟି୨୦ ଫର୍ମାଟରୁ ସନ୍ୟାସ ନେଇ ସାରିଛନ୍ତି । ସେ ଏବେ କେବଳ ଦିନିକିଆ ଖେଳୁଛନ୍ତି । ସେହିପରି ଆଇପିଏଲରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ଦେଖିବାକୁ ମିଳୁଛି । ଏମିତି ସ୍ଥିତିରେ ରୋହିତଙ୍କ ଅବସରକୁ ନେଇ ନାନା ପ୍ରକାର ଚର୍ଚ୍ଚା ହେଉଛି । ଏପରିକି ସେ ଓ ବିରାଟ କୋହଲି ୨୦୨୭ ଦିନିକିଆ ବିଶ୍ବକପ୍ ଟିମରେ ରହିବେ କି ନାହିଁ ତାକୁ ନେଇ ମଧ୍ୟ ବହୁ ବାଦ-ବିବାଦ ଦେଖିବାକୁ ମିଳୁଛି । ଆଉ ଏହାରି ଭିତରରେ ରୋହିତ ଦିନିକିଆ ରାକିଂରେ ପୁଣି ଥରେ ନମ୍ବର ଓ୍ବାନ ପୋଜିସନକୁ ଆସି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

Latest Posts

Don't Miss