spot_img

Latest Posts

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ରୋହିଙ୍ଗ୍ୟାଙ୍କ ପାଇଁ କ’ଣ ରେଡ୍ କାର୍ପେଟ୍ ବିଛାଇବୁ ?

ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, ରୋହିଙ୍ଗ୍ୟାଙ୍କ ପାଇଁ କ’ଣ ରେଡ୍ କାର୍ପେଟ୍ ବିଛାଇବୁ ?

ନନ୍ଦିଘୋଷ ବ୍ୟୁରୋ: ରୋହିଙ୍ଗ୍ୟାଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା । ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ରୋହିଙ୍ଗ୍ୟା ଶରଣାର୍ଥୀ ମାମଲାର ଶୁଣାଣି ହୋଇଥିଲା । ୫ ରୋହିଙ୍ଗ୍ୟା ଶରଣାର୍ଥୀ ଜେଲରୁ ଗାଏବ ହୋଇଯିବାକୁ ନେଇ ଜନହିତକର ମାମଲାର ବିଚାର ବେଳେ ପ୍ରଧାନ ବିରାରପତି ସୂର୍ଯ୍ୟକାନ୍ତଙ୍କ ବେଞ୍ଚ କଡ଼ା ଟିପ୍ପଣି ଦେଇଛନ୍ତି । ସେ କହିଛନ୍ତି, ଯିଏ ଅବୈଧ ଭାବେ ଦେଶରେ ଅନୁପ୍ରବେଶ କରିଛନ୍ତି ତାଙ୍କ ପାଇଁ କ’ଣ ରେଡ କାର୍ପେଟ ବିଛାଇବୁ । କୋର୍ଟ କେନ୍ଦ୍ରକୁ ନୋଟି ଜାରି କରିବାକୁ ମନା କରିଦେଇଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ଡିସେମ୍ବର ୧୬ ତାରିଖରେ ହେବ । ଉକ୍ତଦିନ ରୋହିଙ୍ଗ୍ୟାଙ୍କୁ ନେଇ ଅନ୍ୟ ମାମଲାର ବି ବିଚାର କରାଯିବ ।

୫ ରୋହିଙ୍ଗ୍ୟା ଶରଣାର୍ଥୀ ଜେଲରୁ ଗାଏବ ହେବା ଘଟଣାରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିବାକୁ ଅପିଲ କରାଯାଇଥିଲା । ହେଲେ ସିଜିଆଇଙ୍କ ପୀଠ ଏହି ମାମଲାରେ କେନ୍ଦ୍ରକୁ ନୋଟିସ୍ ପଠାଇବାକୁ ମନା କରିଦେଇଛନ୍ତି । ଶୁଣାଶି ବେଳେ କୋର୍ଟ କହିଥିଲେ, ଆପଣ ଜାଣିଛନ୍ତି ଏମାନେ ଅନୁପ୍ରବେଶକାରୀ । ଆମ ଉତ୍ତର-ପୂର୍ବ ସୀମା ବହୁତ ସମ୍ବେଦନଶୀଳ ।

କ’ଣ ରେଡ୍ କାର୍ପେଟ ବିଛାଇବା ?

କୋର୍ଟ କହିଛନ୍ତି, ଦେଶରେ କ’ଣ ହେଉଛି, ଆପଣ ଜାଣିଛନ୍ତି କି ? ଯଦି କେହି ବେଆଇନ ଭାବେ ଦେଶରେ ପ୍ରବେଶ କରିବ, ଆପଣ କ’ଣ ଚାହୁଁଛନ୍ତି ଆମେ ତାଙ୍କ ପାଇଁ ରେଡ୍ କାର୍ପେଟ ବିଛାଇବୁ ? ସେମାନେ ଟନେଲ ଦେଇ ସୀମାରେ ପ୍ରବେଶ କରୁଛନ୍ତି । ଆଉ ଆପଣ କହୁଛନ୍ତି, ଆମେ ତାଙ୍କୁ ଖାଇବା, ଆଶ୍ରୟ ଦେବା ସହ ସେମାନଙ୍କ ପିଲାଙ୍କ ଶିକ୍ଷାର ବ୍ୟବସ୍ଥା କରିବୁ ।  ଆମକୁ ପ’ଣ ଆଇନକୁ ଏତେ ବିସ୍ତାର କରିବା ଉଚିତ ?

ରୋହିଙ୍ଗ୍ୟା ଭାରତୀୟ ନୁହଁନ୍ତି

ସିଜିଆଇ କହିଛନ୍ତି, ବନ୍ଦୀ ପ୍ରତକ୍ଷୀକରଣ ଯାଚିକା ବା ହେବିୟସ କର୍ପସ ହାସ୍ୟସ୍ପଦ । ଏମାନେ ବେଆଇନ ଭାବେ ଅନୁପ୍ରବେଶ କରିଛନ୍ତି । ଦେଶର ସୁରକ୍ଷା ଓ ସୀମାରେ ଲାଗି ରହିଥିବା ସ୍ଥିତିକୁ ଦେଖି ଏପରି ଆବେଦନ ଉପରେ ସହାନୁଭୂତି ଦେଖାଇବା ଠିକ୍ ନୁହେଁ । ଯାଚିକାରେ କୁହାଯାଇଥିଲା, ୫ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ପୋଲିସ ହିରାସତରୁ ଗାଏବ କରିଦିଆଯାଇଛି । ସେମାନେ କେଉଁଠି ଅଛନ୍ତି ତାହା ସ୍ପଷ୍ଟ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ।

ସୂଚନାଯୋଗ୍ୟ, ରୋହିଙ୍ଗ୍ୟା ପ୍ରସଙ୍ଗ କିଛି ବର୍ଷ ହେବ ବିବାଦୀୟ ରହିଛି । କେନ୍ଦ୍ର ସରକାର ବାରମ୍ବାର କହି ଆସୁଛନ୍ତି, ରୋହିଙ୍ଗ୍ୟା ଭାରତୀୟ ନାଗରିକ ନୁହଁନ୍ତି । ଏମାନେ ଦେଶର ସୁରକ୍ଷା ପାଇଁ ବିପଦ । ୨୦୧୭ରେ ମଧ୍ୟ ସୁପ୍ରିମକୋର୍ଟ ସେମାନଙ୍କ ନିର୍ବାସନ ବନ୍ଦ କରିବାକୁ ମନା କରିଥିଲେ । ଏବେ ଦେଶରେ ପ୍ରାୟ ୪୦ ହଜାର ରୋହିଙ୍ଗ୍ୟା ରହୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ବେଆଇନ ଭାବେ ଦେଶ ଭିତରକୁ ପ୍ରବେଶ କରିଛନ୍ତି ।

Latest Posts

Don't Miss