ନନ୍ଦିଘୋଷ ବ୍ୟୁରୋ : ଟଙ୍କା ଦେଣନେଣକୁ ନେଇ ମଧ୍ୟସ୍ଥି ସାଜିଥିବା ଯୁବକକୁ ୭ ଘଣ୍ଟାଧରି ଚେନରେ ବାନ୍ଧି ରଖିଲା ଜଣେ ବ୍ୟକ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ବଡରମ୍ପାସ ଗାଁରେ ଦେଖିବାକୁ ମିଳିଛି ଏଭଳି କଙ୍ଗାରୁକୋର୍ଟ । ଅଭିଯୋଗ ଅନୁଯାଇ ନରେନ୍ଦ୍ର ଆୟଚ ଗାଁର ଜଣେ ଯୁବକ ପାଖରୁ ୨୦ ହଜାର ଟଙ୍କା ପାଇବ ବୋଲି କହି ଝଗଡା ଲାଗିଥିଲା । ଗାଁର ମହେନ୍ଦ୍ର ତ୍ରିପାଠୀ ମଧ୍ୟସ୍ଥି ସାଜି ବିବାଦକୁ ସମାଧାନ କରି ଟଙ୍କା ନିଜେ ଦେବେ ବୋଲି କହିଥିଲେ । ପରବର୍ତ୍ତୀ ସମୟରେ ଏନେଇ ପଞ୍ଚାୟତରେ ଉଭୟ ପକ୍ଷ ବସି ବିବାଦର ସମାଧାନ କରି ନରେନ୍ଦ୍ରକୁ ସମସ୍ତ ଟଙ୍କା ଫେରସ୍ତ କରିଥିଲେ । କିନ୍ତୁ ଗତକାଲି ଅଚାନକ ନରେନ୍ଦ୍ର ଆୟଚ ମହେନ୍ଦ୍ରକୁ ସେ ଟଙ୍କା ପୁନର୍ବାର ମାଗିଥିଲେ । ରାସ୍ତାରେ ଅଟକାଇ ମହେନ୍ଦ୍ରର ଗୋଡ଼କୁ ଲୁହାଚେନରେ ବାନ୍ଧି ଚେୟାରରେ ବସାଇ ଦେଇଥିଲେ । ଏଖବର ପାଇ ଗାଁର ଅନେକ ଲୋକ ନରେନ୍ଦ୍ରକୁ ବୁଝାସୁଝା କରି ଛାଡିବାକୁ ଅନୁରୋଧ କରିଥିଲେ ବି ସେ ଏକ ମରଣାସ୍ତ୍ର ଧରି ସମସ୍ତଙ୍କୁ ଗାଳି ଗୁଲଜ କରି ଜୀବନରେ ମାରିବାକୁ ଧମାକାଇ ଥିଲା। ଦୀର୍ଘ ୭ଘଣ୍ଟା ପରେ ନନ୍ଦିପଦା ପୋଲିସ ପହଞ୍ଚି ମହେନ୍ଦ୍ରକୁ ଉଦ୍ଧାର କରିବା ସହିତ ନରେନ୍ଦ୍ରକୁ ଗିରଫ କରିଛି।

