ସେନା ପୋଷାକରେ ପୁଟିନଙ୍କ ବଡ଼ ଘୋଷଣା; ୟୁକ୍ରେନର ଦୁଇ ସହର ଋଷ କବଜାରେ
ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନର ଆଉ ଦୁଇ ସହର ଉପରେ ଋଷର ନିୟନ୍ତ୍ରଣ । ନିଜେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାର ଘୋଷଣା କରିଛନ୍ତି । ଟେଲିଗ୍ରାମରେ ଏକ ପୋଷ୍ଟରେ ପୁଟିନ ଏହି ଘୋଷଣା କରିଥିବା ଭିଡିଓ ପୋଷ୍ଟ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ପୁଟିନଙ୍କୁ ଏହି ଘୋଷଣା କରିବା ବେଳେ ସେନା ପୋଷାକରେ ଦେଖିବାକୁ ମିଳିଥିଲା । ପୂର୍ବରୁ ମଧ୍ୟ ଏଭଳି ବଡ଼ ଉପଲବ୍ଧିରେ ପୁଟିନ ସେନା ପୋଷାକରେ ନଜର ଆସିଛନ୍ତି । ଏହାସହ ସେନା ପୋଷାକରେ ଏହା ଘୋଷଣା କରି ପୁଟିନ ୟୁରୋପ, ଆମେରିକା ଓ ପୂରା ନାଟୋକୁ ଋଷ ସେନାର ଶକ୍ତି ଦେଖାଇଛନ୍ତି । ସୋମବାର ଋଷ ଦାବି କରିଥିଲା, ତା’ ସେନା ପୂର୍ବ ୟୁକ୍ରେନର ମହତ୍ବପୂର୍ଣ୍ଣ ସହର ପୋକରୋଭସ୍କ ଏବଂ ଉତ୍ତର-ପୂର୍ବ ସହର ଭୋଭଚାନସ୍କକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛି । ଯୁଦ୍ଧର ସ୍ଥିତିକୁ ଦେଖିଲେ ଏହି ଦୁଇ ସହର ୟୁକ୍ରେନ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଥିଲା ।
କ୍ରେମଲିନ ଟେଲିଗ୍ରାମରେ ପୋଷ୍ଟ କରି କହିଛି, ପୋକରୋଭସ୍କ ଏବେ ଋଷ ନିୟନ୍ତ୍ରଣରେ ରହିଛି । ଯାହା ଡୋନେଟସ୍କ କ୍ଷେତ୍ରରେ ସଡ଼କ ଓ ରେଳ ଯୋଗାଯୋଗର ଏକ ବଡ଼ କେନ୍ଦ୍ର ଥିଲା । ଯୁଦ୍ଧ ପୂର୍ବରୁ ଏଠାରେ ପ୍ରାୟ ୬୦ ହଜାର ଲୋକ ରହୁଥିଲେ । ଗତ କିଛି ମାସ ହେବ ଏହି ସହର ଉପରେ ଋଷ ପକ୍ଷରୁ ଘନ ଘନ ଆକ୍ରମଣ କରାଯାଉଥିଲା । ଏବେ ଋଷ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି ।
ଋଷ ରକ୍ଷା ମନ୍ତ୍ରାଳୟ ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଋଷ ଯବାନମାନେ ପୋକରୋଭସ୍କର କେନ୍ଦ୍ରରେ ଋଷର ପତାକା ଉଡ଼ାଉଥିବା ଦେଖିବାକୁ ମିଳୁଛି । ଯଦି ଋଷ ଏହାକୁ ଦଖଲ କରିଥିବ ତେବେ ଏହା ଏକ ଦୁର୍ଗ ଜିତିବା ସହ ସମାନ । ଏହାଦ୍ବାରା ୟୁକ୍ରେନର ଯୋଗଣ ଉପରେ ବଡ଼ ପ୍ରଭାବ ପଡ଼ିବ ଓ ଋଷକୁ ଉତ୍ତର ଏବଂ ପଶ୍ଚିମ ଦିଗକୁ ବଢ଼ିବାକୁ ସୁଯୋଗ ମିଳିଯିବ । ଏହାସହ ଏହାର ନିକଟରେ ଥିବା ୟୁକ୍ରେନର ଏକ ବଡ଼ ସୈନ୍ୟ ଠିକଣାକୁ ବି ଋଷ ଘେରିବାର ଆଶଙ୍କା ବଢ଼ିଯାଇଛି ।
ଉଭୟଙ୍କ ପାଇଁ ପୋକରୋଭସ୍କର ଗୁରୁତ୍ବ କେତେ ?
ଉଭୟ ୟୁକ୍ରେନ ଓ ଋଷ ପାଇଁ ପୋକରୋଭସ୍କ ସହର ବହୁତ ଗୁରୁତ୍ବପୂର୍ଣ୍ଣ । ଏହାକୁ ସୁରକ୍ଷିତ ରଖିବାକୁ ଗତମାସ ୟୁକ୍ରେନ ବଡ଼ ସଂଖ୍ୟାରେ ସେନା ଓ ସ୍ପେଶାଲ ଫୋର୍ସ ପଠାଇଥିଲା । ହେଲେ ରିପୋର୍ଟ ଅନୁସାରେ, ଋଷୀ ଯବାନ ସହର ମଧ୍ୟରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ । ଋଷ ସେନା ପ୍ରମୁଖ ଭାଲେରି ଗେରାସିମୋଭ ସୋମବାର ରାଷ୍ଟ୍ରପତି ପୁଟିନଙ୍କୁ ପୋକରୋଭସ୍କ ଏବଂ ଭୋଭଚାନସ୍କ ଦଖଲ ସୂଚନା ଦେଇଥିଲେ । ସେହିପରି ଭୋଭଚାନସ୍କ ୨୦୨୪ରୁ ଉଭୟ ଦେଶ ମଧ୍ୟରେ ଭିଷଣ ଯୁଦ୍ଧ ଚାଲିଛି । ଯେଉଁ କାରଣରୁ ଏହି ସହର ସମ୍ପୂର୍ଣ୍ଣ ଧ୍ବଂସ ହୋଇ ସାରିଥିବା କହିଲେ ଭୁଲ ହେବନାହିଁ । ଋଷ ପ୍ରତିରକ୍ଷା ମନ୍ତ୍ରୀ ଆଣ୍ଡ୍ରେ ବେଲୋସୋଭ୍ ଏହାକୁ ବିଜୟ ପାଇଁ ଆଉ ଏକ ପାଦ ଆଗକୁ ବଢ଼ିବା ଭଳି ଦେଖୁଥିବା କହିଛନ୍ତି ।
ଆର୍ମି ପୋଷାକରେ ପୁଟିନ କଲେ ଘୋଷଣା
ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଘୋଷଣା ନିଜେ କରିଛନ୍ତି । ଆଉ ଏହି ସମୟରେ ତାଙ୍କୁ ଆର୍ମି ପୋଷାକରେ ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଚଳିତବର୍ଷ ମାର୍ଚ୍ଚ ଓ ସେପ୍ଟେମ୍ବରରେ ପୁଟିନଙ୍କୁ ସେନା ପୋଷାକରେ ଦେଖିବାକୁ ମିଳିଥିଲା । ମାର୍ଚ୍ଚରେ କୁର୍ସ୍କ ଗସ୍ତ ସମୟରେ ପୁଟିନ ସେନା ପୋଷାକରେ ନଜର ଆସିଥିଲେ । ସେହିପରି ସେପ୍ଟେମ୍ବରରେ ଋଷ-ବେଲାଋଷ ମିଳିତ ସୈନ୍ୟ ଅଭ୍ୟାସ ଜାପାଡ଼-୨୦୨୫ରେ ସାମିଲ ହେବା ବେଳେ ପିନ୍ଧିଥିଲେ ।
ସେନା ପୋଷାକରେ ପୁଟିନ, ଅର୍ଥ କ’ଣ ?
ପୁଟିନ ଋଷ ସେନାର ସୁପ୍ରିମ କମାଣ୍ଡୋ ଇନ ଚିଫ୍ । ହେଲେ ଦୀର୍ଘ ସମୟ ହେବ ସେ ସାର୍ବଜନୀନ ସ୍ତରରେ ସେନା ପୋଷାକରେ ଆସୁନାହାନ୍ତି । ୨୦୨୫ରେ ପ୍ରଥମ ଥର ପୁଟିନଙ୍କୁ ସେନା ପୋଷାକରେ ଦେଖାଯିବାର ଅର୍ଥ ହେଲା, ସେ ନିଜେ ଯୁଦ୍ଧ ପରିଚାଳନା କରୁଥିବା ଋଷ ଦେଖାଇବାକୁ ଚାହୁଁଛି । ଏପରି କରିବା ପଶ୍ଚିମ ଦେଶ ବିଶେଷ କରି ନାଟୋ ପାଇଁ ଏକ ସଙ୍କେତ ।

