ନନ୍ଦିଘୋଷ ବ୍ୟୁରୋ : ଦୀର୍ଘ ୪ ବର୍ଷ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧ ଥମିବାର ସାମାନ୍ୟ ଆଶା ଦେଖା ଦେଇଛି। ଯଦିଓ ପକ୍କା ଭାବେ କିଛି ସ୍ପଷ୍ଟ ହୋଇନାହିଁ, ତେବେ ଆମେରିକା-ରୁଷିଆର ଆଲୋଚନାରୁ ସକରାତ୍ମକ ସୂଚନା ମିଳିଛି। ୟୁକ୍ରେନକୁ ନେଇ ଆମେରିକାର ପ୍ରତିନିଧି ଦଳ ଓ ରୁଷିଆର ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ହୋଇଛି ଆଲୋଚନାଚ। ଦୀର୍ଘ ୪ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା।ବୈଠକରେ ନିଜେ ପୁଟିନ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ସହିତ ଆଲୋଚନା କରିଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ଵତନ୍ତ୍ର ପ୍ରତିନିଧି ଷ୍ଟିଭ ୱଟକୋଫ୍। ତେବେ ବୈଠକ ପରେ ରୁଷର ଜଣେ ଅଧିକାରୀ କହିଛନ୍ତି, ଆଲୋଚନା ସକରାତ୍ମକ ରହିଛି। କିନ୍ତୁ ରୁଷ ନିଜ ଆଭିମୁଖ୍ୟରେ କୌଣସି ସାଲିସ କରିବ ନାହିଁ। ବିଶେଷ କରି ୟୁକ୍ରେନର ଯେଉଁ ଅଞ୍ଚଳକୁ ରୁଷ ଅଧିକାର କରି ନେଇଛି, ତାହା ଫେରାଇବା ମୁଡ୍ ରେ ନାହିଁ ମସ୍କୋ। ଆହୁରି ଅନେକ କାମ ବାକିଥିବା ସେ କହିଛନ୍ତି। ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ଏହି ଫେବ୍ରୁଆରିକୁ ୪ ବର୍ଷ ପୂରିଯିବ। ଉଭୟ ପକ୍ଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ବିଶ୍ଵ ଆର୍ଥିକ ଅବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ତେଣୁ ଯୁଦ୍ଧ ବନ୍ଦ ପାଇଁ ଆମେରିକା ପକ୍ଷରୁ ମଧ୍ୟସ୍ଥତା କରାଯାଉଛି। ସେପଟେ ୟୁରୋପକୁ ଖୋଲାଖୋଲି ଧମକ ଦେଇଛନ୍ତି ପୁଟିନ। ସେ କହିଛନ୍ତି, ଯଦି ୟୁରୋପ ଯୁଦ୍ଧ ଚାହୁଁଛି, ତେବେ ଆମେ ବି ପ୍ରସ୍ତୁତ। ୟୁକ୍ରେନ ଶାନ୍ତି ପ୍ରକ୍ରିୟାରେ ୟୁରୋପ ବାଧା ସାଜିଥିବା ସେ ଅଭିଯୋଗ କରିଛନ୍ତି। ୟୁରୋପ ଯାହା କହୁଛି, ତାକୁ ରୁଷ ଆଦୌ ଗ୍ରହଣ କରିବ ନାହିଁ ବୋଲି କହିଛନ୍ତି ପୁଟିନ। ଏବେ ୟୁକ୍ରେନର ୨୦ ପ୍ରତିଶତ ଅଞ୍ଚଳ ରୁଷିଆ ଅକ୍ତିଆରରେ ଅଛି। ଲକ୍ଷେ ୨୦ ହଜାର ବର୍ଗ କିଲୋମିଟରକୁ ଦଖଲ କରି ନେଇଛି ମସ୍କୋ। ତଥାପି ରୁଷ ନିଜ ଲକ୍ଷ୍ୟ ହାସଲ କରିପାରିନାହିଁ ଏବଂ ୟୁକ୍ରେନ ପକ୍ଷରୁ କଡ଼ା ପ୍ରତିରୋଧର ସମ୍ମୁଖୀନ ହେଉଛି। ୟୁକ୍ରେନ ଚାହୁଁଛି, ଶାନ୍ତି ପାଇଁ ରୁଷ ଯେଉଁ ସବୁ ଅଞ୍ଚଳ ଦଖଲ କରି ନେଇଛି, ସେହି ଅଞ୍ଚଳ ଫେରାଇ ଦେଉ ରୁଷ। ୟୁକ୍ରେନ ପଛରେ କୌଣସି ଚାଲ୍ ବାଜ କାମ କରାନଯାଉ ବୋଲି ମଧ୍ୟ ଖୋଲାଖୋଲି ଆହ୍ଵାନ ଦେଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି।

