ନନ୍ଦିଘୋଷ ବ୍ୟୁରୋ : ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ । ବିବାହର ବର୍ଷେ ନ ପୁରୁଣୁ ଶାଶୂଘର ଲୋକେ ମାରିଦେଇଥିବା ଭଦ୍ରକ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା। ୨୦୨୪ ଡିସେମ୍ବର ୧୦ରେ ନଦୀଗାଁର ପ୍ରଲିପ୍ତା ଚାନ୍ଦବାଲି ଥାନା କୁଲିବିନ୍ଧା ଗାଁର ନିରାକାର ମହାନ୍ତିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ବେଳେ ବରପକ୍ଷରୁ ଯୌତୁକ ବାବଦକୁ ୨ଲକ୍ଷ ଟଙ୍କା ଦାବି କରାଯାଇଥିଲା । ମାତ୍ର କନ୍ୟା ପକ୍ଷ ନଗଦ ୧ଲକ୍ଷ ଦେଇ ପରେ ବଳକା ଅର୍ଥ ଦେବାକୁ ଅନୁରୋଧ କରିଥିଲେ । ଯାହାକୁ ନେଇ ସ୍ୱାମୀ ଶାଶୁ, ଶଶୁର, ଦିଅର, ନଣନ୍ଦ ବିଭିନ୍ନ ସମୟରେ ଝିଅକୁ ନିର୍ଯ୍ୟାତନା ଦେବା ସହ ମାଡ଼ ମାରୁଥିଲେ । ଶେଷରେ ଗତକାଲି ଜୀବନରୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବକୁ ଛାଡ଼ି ଶାଶୁଘର ଲୋକେ ଫେରାର ହୋଇଯାଇଛନ୍ତି । ଚାନ୍ଦବାଲି ଥାନାରେ ଅଭିଯୋଗ ପରେ ପୋଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଛି।

