ସୁଧୁରୁନି ଧାନକିଣା ସମସ୍ୟା । ପ୍ରଶାସନିକ ତୁତୁ ମେମେ ଭିତରେ ପେଷି ହେଉଛନ୍ତି ଚାଷୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ପ୍ରାୟ ୮୦ ପ୍ରତିଶତ ଖରିଫ ଧାନ ଅମଳ ହୋଇସାରିଲାଣି । ହେଲେ ଏଯାଏଁ ଖୋଲିନି ମଣ୍ଡି । ଆସନ୍ତା ୧୬ ତାରିଖରୁ ମଣ୍ଡି ଖୋଲିବ ବୋଲି ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ହେଲେ କିଛି ଚାଷୀଙ୍କୁ ଟୋକନ ଆସିନାହିଁ । ଚାଷୀ ଅଖା ବସ୍ତାରେ ଧାନ ବିକିବେ ନା ଜରି ବସ୍ତାରେ ତାକୁ ନେଇ ବି ଦ୍ଵନ୍ଦ୍ଵରେ ।
ସେପଟେ ଅମଳ ଧାନକୁ ସାଇତି ରଖିବାକୁ ଚାଷୀଙ୍କ ପାଖରେ ଧାନ ବସ୍ତା କି ଗୋଦାମ ଘର ବି ନାହିଁ । ଫଳରେ ଅମଳ ଧାନକୁ ଖଳାରେ ଗଦା କରି ରଖିଛନ୍ତି ଚାଷୀ । ଅଦିନିଆ ବର୍ଷା ଓ କାକରରେ ଧାନ ଭିଜି ନଷ୍ଟ ହୋଇଯିବା ଆଶଙ୍କା ରହୁଛି । ଖାଲି ଏତିକି ନୁହେଁ ମୂଷା ଧାନ ଖାଇଯିବା ଓ ଚୋରି ହୋଇଯିବା ଭୟରେ ଜୀବନକୁ ବାଜି ଲଗାଇ ଚାଷୀ ରାତିରେ ଖଳାରେ ଜଗି ବସୁଛନ୍ତି । ଏପରି ସ୍ଥିତିରେ ଧାର ଉଧାର କରି ଚାଷ କରିଥିବା ଚାଷୀଙ୍କୁ ସାହୁକାର ମାନେ ଅସ୍ତବ୍ୟସ୍ତ କରିଦେଲେଣି । ଯାହାର ସୁଯୋଗ ନେଇ ଦଲାଲ ମାନେ ଗାଁ ଗାଁ ବୁଲି କମ ଦାମରେ ଧାନ କିଣିବାରେ ଲାଗିପଡିଛନ୍ତି । ମଣ୍ଡି ଖୋଲି ନଥିବାରୁ ଧାନ ବେପାରୀ ଓ ଦଲାଲ ମାନେ ଚାଷୀଙ୍କ ଭାଗ୍ୟବିଧାତା ସାଜିଛନ୍ତି । ଦଲାଲ ମାନେ ଚାଷୀଙ୍କ ଠାରୁ କ୍ଵିଣ୍ଟାଲ ପିଛା ୧୮ ଶହରୁ ୨ ହଜାର ଟଙ୍କାରେ ଧାନ କିଣିନେଉଛନ୍ତି । ଫଳରେ ଅନେକ ଚାଷୀ କ୍ଷତି ସହିଲେଣି । ଅନ୍ୟପଟେ ଚଳିତ ବର୍ଷ ଜିଲ୍ଲାରୁ ୧୨ ଲକ୍ଷ ୨୬ ହଜାର କୁଇଣ୍ଟାଲ ଧାନ କିଣାଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ l

