ବିଧାନସଭାରେ ମହାନଦୀ ତାତି । ସରକାରଙ୍କ ଆଭିମୁଖ୍ୟ ନେଇ ହୁଲସ୍ତୁଲ ବିଧାନସଭା । ମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ ନାଖୁସ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ମହାନଦୀକୁ ନେଇ ଆଲୋଚନା ପରେ ଆଲୋଚନା ହେଉଛି ହେଲେ ଫଳଶୂନ୍ୟ ବାହାରିଛି । କାଲି ମହାନଦୀ ଉପରେ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ନଭେମ୍ବର ୧୦ ତାରିଖରେ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ବସିଥିଲା। ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିଥିଲେ । ଏହି ଇଷ୍ଟର୍ଣ୍ଣ ଜୋନ ବୈଠକରେ ମହାନଦୀ ଜଳ ବିବାଦକୁ ଗୁରୁତର ସହ ନେଇ ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା କରିଥିଲେ ଶାହ। ଉଭୟ ରାଜ୍ୟର ବୈଷୟିକ ଟିମଙ୍କ ମଧ୍ୟରେ ଛଅ ଥର ଆଲୋଚନା ହୋଇଛି। ଆସନ୍ତାକାଲି ମଧ୍ୟ ଏନେଇ ଜଏଣ୍ଟ ଟେକନିକାଲ ଟିମଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବାକୁ ଅଛି । ସେପଟେ ଆସନ୍ତା ୨୦ ତାରିଖରେ ଟ୍ରିବ୍ୟୁନାଲ ଶୁଣାଣି କରିବାକୁ ଯାଉଛନ୍ତି ବୋଲି ଶାସକ ଦଳ କହିଛି।
ମହାନଦୀ ଜଳ ବିବାଦ ନେଇ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଟେକ୍ନିକାଲ କମିଟି ବୈଠକ, ଛତିଶଗଡ଼ ସହ ଆଲୋଚନା, କେନ୍ଦ୍ର ସରକାର ସହ ଆଲୋଚନା କଥା ଶୁଣି ଶୁଣି ଓଡ଼ିଶା ଲୋକଙ୍କ କାନ ବଧିରା ହୋଇଗଲାଣି । କୌଣସି ସମାଧାନର ରାସ୍ତା ବାହାରୁନି । ଦୀର୍ଘ ବର୍ଷ ହେଲା ମାମଲା ଟ୍ରିବ୍ୟୁନାଲରେ ଅଛି କିନ୍ତୁ କିଛି ଫୈସଲା ହେଉନାହିଁ । ଏବେ ଓଡ଼ିଶା ସରକାର କହୁଛନ୍ତି ଆପୋଷ ଆଲୋଚନାରେ ସମାଧାନ କରିବେ । ତେବେ ଆପୋଷ ଆଲୋଚନାରେ ସର୍ତ୍ତାବଳୀ କଣ ରହିବ ସେ ନେଇ ପ୍ରଶ୍ନ କଲେ ବି ଉତ୍ତର ମିଳୁନି । ସେପଟେ ଛତିଶଗଡ଼ ସରକାର ମହାନଦୀର ଉପନଦୀ ଗୁଡ଼ିକରେ ବନ୍ଧ, ଅନିକଟ ନିର୍ମାଣ କରି ଚାଲିଛି । ଟ୍ରିପଲ ଇଞ୍ଜିନ ସରକାର ଚାଲିଛି ହେଲେ କେହି କାହା କଥା ଶୁଣୁନାହାନ୍ତି । ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି । ଓଡ଼ିଶା ସରକାର ନିରବଦ୍ରଷ୍ଟା ସାଜିଛନ୍ତି । କେବଳ ବୟାନବାଜି କଲେ ସମସ୍ୟାର ସମାଧାନ ହେବ ନାହିଁ । ବିଜେଡି ସହ ସ୍ବର ମିଳାଇଛି କଂଗ୍ରେସ । ଟ୍ରିପଲ ଇଞ୍ଜିନ ସରକାର ସମସ୍ୟାର ସମାଧାନ କରିବାକୁ ଦଳ ଦାବି କରିଛି । ଯାହାର ଜବାବ ଦେଇଛି ବିଜେପି। ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଯେଉଁ ଆପୋଷ ସମାଧାନ କଥା କହୁଛନ୍ତି ତାହା କି ପ୍ରକାରର ? ତାହା ରାଜ୍ୟବାସୀ ଜାଣିବାର ଆବଶ୍ୟକତା ରହିଛି ବୋଲି ବିଜେଡି ଦାବି କରିଛି ।

