ଦେଶରେ ଧରାଶାୟୀ ହେଲାଣି ଇଣ୍ଡିଗୋ। ଅନେକ ସ୍ଥାନରେ ବିମାନ ଉଡୁନାହିଁ। ଆଜି ବର୍ତ୍ତମାନ ସୁଦ୍ଧା ୩ଶହରୁ ଅଧିକ ବିମାନ ବାତିଲ ହୋଇଥିବା ଜଣାପଡିଛି। ମୁମ୍ବାଇ ଓ ଦିଲ୍ଲୀ ଭିତରେ ସବୁଠାରୁ ଅଧିକ ବିମାନ ବାତିଲ ହୋଇଛି। ଆଜି ବି ବିଭିନ୍ନ ସ୍ଥାନରୁ ଯାତ୍ରୀ ହନ୍ତସନ୍ତ ଖବର ଆସିଛି। ଏହାରି ମଧ୍ୟରେ ଭାରତୀୟ ରେଲୱେର ବଡ଼ ପଦକ୍ଷେପ। ଯାତ୍ରୀଙ୍କ ସୁବିଧା ଲାଗି ଚାଲିଲା ୪ଟି ସ୍ଵତନ୍ତ୍ର ଟ୍ରେନ। ୩୭ଟି ଟ୍ରେନରେ ଯୋଡ଼ାଗଲା ଅତିରିକ୍ତ ୧୧୬ଟି କୋଚ। ବିମାନ ଯାତ୍ରା ବାତିଲ ହେବା ପରେ ଷ୍ଟେସନରେ ଯାତ୍ରୀଙ୍କ ସଂଖ୍ୟା ଅହେତୁକ ଭାବେ ବଢିବାରେ ଲାଗିଛି। ଏହାକୁ ଦେଖି ଭାରତୀୟ ରେଲୱେ ଏହି ପଦକ୍ଷେପ ଗ୍ରହଣ କରିଛି। ସେପଟେ ଆଜି ବି ଦେଶର ଅନେକ ସହରରୁ ଇଣ୍ଡିଗୋର ଏକାଧିକ ବିମାନ ଉଡାଣ ବାତିଲ ହୋଇଛି। ହଜାର ହଜାର ସଂଖ୍ୟାରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଇଣ୍ଡିଗୋ ସଂକଟର ସମାଧାନ ଲାଗି ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ୪ ଜଣିଆ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ। ୧୫ ଦିନ ମଧ୍ୟରେ କମିଟି ରିପୋର୍ଟ ଦେବ। ସେପଟେ ଆସନ୍ତା ୫ରୁ ୧୦ ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ଇଣ୍ଡିଗୋ ସିଇଓ।

