ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏଥିରେ ଜଣେ କଂଗ୍ରେସ କର୍ମୀ ତଥା ପଞ୍ଚାୟତ ସଦସ୍ୟ ପ୍ରାଣ ହରାଇଥିବାବେଳେ କିଛି ବ୍ୟକ୍ତି ଆହତ ହୋଇଛନ୍ତି। ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। କର୍ଣ୍ଣାଟକ ଚିକମାଗଲୁରୁରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ବ୍ଯାନରକୁ କେନ୍ଦ୍ର କରି ସଂଘର୍ଷ ଉପୁଜିଥିଲା। ପରେ କାଳମାଦେଶ୍ବର ମଠ ରୋଡରେ କଂଗ୍ରେସ କର୍ମୀ ଗଣେଶ ଗୌଡ଼ାଙ୍କୁ କିଛି ଲୋକ ଧାରୁଆ ଅସ୍ତ୍ରଶସ୍ତ୍ରରେ ହାଣି ହତ୍ୟା କରିଥିଲେ। ପ୍ରଥମେ ଚିକମାଗଲୁରୁର ଏକ ବାରରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଘଟିଥିଲା। ପରେ ଏହା ହତ୍ୟାର ରୂପ ନେଇଥିଲା। ଘଟଣାକୁ ନେଇ ସଖାରାୟପାଟଣା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି।

