ନନ୍ଦିଘୋଷ ବ୍ୟୁରୋ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଗତକାଲି କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୧୦୧ ରନ୍ରେ ପରାସ୍ତ କରି ସିରିଜ୍ରେ ୧-୦ରେ ଆଗରେ ରହିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଦଳ ପାଇଁ ୧୭୬ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହି ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ କ୍ରମ ଭାରତୀୟ ବୋଲରଙ୍କ ସାମ୍ନା କରିପାରି ନ ଥିଲା ଏବଂ ମାତ୍ର ୭୪ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହା ଦକ୍ଷିଣ ଆଫ୍ରିକାର ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ସବୁଠାରୁ କମ୍ ସ୍କୋର। ଏହି ମ୍ୟାଚ୍ରେ ପ୍ରଥମ ୱିକେଟ୍ ନେଇ ବୁମରା ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ରେ ଶତକ ହାସଲ କରିଥିଲେ ଏବଂ ଏକ ଐତିହାସିକ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲେ ଯାହା ଭାରତୀୟ କ୍ରିକେଟ୍ ଇତିହାସରେ କୌଣସି ବୋଲର ହାସଲ କରି ନଥିଲେ।
କଟକରେ ପ୍ରଥମ ଟି-୨୦ରେ ଡେୱାଲ୍ଡ ବ୍ରେଭିସଙ୍କ ୱିକେଟ ନେଇ ବୁମରା ଟି-୨୦ରେ ତାଙ୍କର ଶତକ ପୂରଣ କରିଥିଲେ। ଅର୍ଶଦୀପ ସିଂହଙ୍କ ପରେ ବୁମରା ଏହି ଫର୍ମାଟରେ ୧୦୦ ୱିକେଟ ହାସଲ କରିବାରେ ଦ୍ୱିତୀୟ ଭାରତୀୟ ବୋଲର ହୋଇଥିଲେ। ବର୍ତ୍ତମାନ, ଅର୍ଶଦୀପ ଟି-୨୦ରେ ୧୦୭ ୱିକେଟ ନେଇ ପ୍ରଥମ ସ୍ଥାନରେ ଅଛନ୍ତି । ବୁମରା ୧୦୧ ୱିକେଟ ସହିତ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୧୦୦ ୱିକେଟ୍ ପୂରଣ କରି ବୁମରାହ ଏବେ ତିନୋଟି ଫର୍ମାଟରେ ୧୦୦ ୱିକେଟ୍ ପୂରଣ କରିଛନ୍ତି। ସେ ଏହି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ ବୋଲର। ବୁମରା ଟେଷ୍ଟରେ ୨୩୪ ଏବଂ ଦିନିକିଆରେ ୧୪୯ ୱିକେଟ୍ ହାସଲ କରିଛନ୍ତି।
ଜସପ୍ରିତ ବୁମରା ବିଶ୍ୱର କେବଳ ଚାରି ଜଣ ବୋଲରଙ୍କ ଏକ ସ୍ୱତନ୍ତ୍ର ତାଲିକାରେ ସାମିଲ ହୋଇଛନ୍ତି। ବୁମରା କ୍ରିକେଟର ତିନୋଟି ଫର୍ମାଟରେ ୧୦୦ ୱିକେଟ ନେବାର ସଫଳତା ହାସଲ କରିବାରେ ବିଶ୍ୱର ପଞ୍ଚମ ବୋଲର। ଏହି ରେକର୍ଡ ପୂର୍ବରୁ ଲସିଥ ମାଲିଙ୍ଗାଙ୍କ ନାମରେ ଥିଲା। ସେ ଟିମ୍ ସାଉଦି, ସାକିବ ଅଲ୍ ହାସନ ଏବଂ ଶାହିନ ଆଫ୍ରିଦିଙ୍କ ସହିତ ମଧ୍ୟ ଯୋଗ ଦେଇଛନ୍ତି।

