ସଫଳ ଇଞ୍ଜିନିୟରିଂରୁ ସଫଳ ଯୁବ ଚାଷୀ । ଗୋ-ପାଳନ, ଛେଳି ପାଳନ ଓ ମାଛ ଚାଷ କରି ଲକ୍ଷପତି । ନିଜେ ରୋଜଗାମକ୍ଷମ ହେବା ସହ ଅନ୍ୟଙ୍କୁ ଦେଇଛନ୍ତି ରୋଜଗାର। ବାଲେଶ୍ୱର ଜିଲ୍ଲା ନୀଳଗିରିର ଯୁବ ଚାଷୀ ସୌମ୍ୟକାନ୍ତ ପ୍ରଧାନ । ବର୍ଷକୁ କରୁଛନ୍ତି ୧୮ଲକ୍ଷରୁ ଉର୍ଦ୍ଧ୍ବ ରୋଜଗାର। ପୁଣେରେ ମେକାନିକାଲ ଇଂଜିନିୟରିଂ ଭାବେ ଏକ ବେସରକାରୀ କମ୍ପାନୀରେ କାମ କରୁଥିଲେ। ହେଲେ ଛୋଟ ବେଳୁ ଚାଷ ପ୍ରତି ଥିଲା ଅହେତୁକ ଦୁର୍ବଳତା। କୋଭିଡ୍ ସମୟରେ ଲକଡାଉନ୍ ଯୋଗୁଁ ଘରକୁ ଫେରି ଚାଷ ପ୍ରତି ଆକର୍ଷିତ ହୋଇଥିଲେ । ଏକ ଘରୋଇ କଲେଜରେ ଚାକିରି କରିବା ସହ ନୀଳଗିରି ଏନଏସି ମିରିଗିଣି ଖଣ୍ଡିଆହୁଡି ନିକଟରେ କରୁଛନ୍ତି ଚାଷ। ନିଜ ପୈତୃକ ୫ ଏକର ଜାଗାରେ ଭିନ୍ନ ପ୍ରଜାତିର ସିବିଜର୍ସି ଗାଈ ଓ ଦେଶୀ ଛେଳି ରଖିଛନ୍ତି। ଏହାସହ ଦୁଇଟି ପୋଖରୀ କାଟି ମାଛଚାଷ କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।
ଦୁଇବର୍ଷ ପୂର୍ବେ ତାଙ୍କର ଜଣେ ବନ୍ଧୁ ଆମେରିକାରେ ସୌମ୍ୟକାନ୍ତଙ୍କୁ କଳା ହଳଦୀ, କଳା ଧାନ ସମ୍ପର୍କରେ କହିଥିଲେ । ବର୍ତ୍ତମାନ ସୌମ୍ୟକାନ୍ତ ନିଜ ଘର ବାଡ଼ିରେ କଳା ହଳଦୀ ଚାଷ କରିଛନ୍ତି । ଲୋକଙ୍କୁ ମଧ୍ୟ କଳା ହଳଦୀ ଚାଷ କରିବା ପାଇଁ ଚାରା ଯୋଗାଉଛନ୍ତି। ନିଜ ଫାର୍ମରେ ୩ ଜଣ ଲୋକ ରଖିଛନ୍ତି। ଘର ପାଖରେ କାମ କରି ସେମାନେ ବି ବେଶ୍ ଖୁସି। ଆଜିର ଯୁବପିଢି ଚାକିରି ପଛରେ ନ ଗୋଡ଼ାଇ ଚାଷ କରି ଭଲ ରୋଜଗାର କରିପାରିବେ ବୋଲି ସୌମ୍ୟକାନ୍ତ କହିଛନ୍ତି।

