ପାରାଦୀପ ବନ୍ଦରକୁ ଆସୁଥିବା ଖଣିଜ ଦ୍ରବ୍ୟ ହେଉଛି ବାଟମାରଣା । ଅଧା ବାଟରେ ଖଣିଜ ସଂପଦକୁ କରାଯାଉଛି ଲୁଟ୍ । ବନ୍ଦରର ନିଷିଦ୍ଧାଞ୍ଚଳକୁ ଆସୁଛି ବାଲି ଓ ପାଉଁଶ ମିଶା ଲାମକୋକ୍ । ନିଘୋଡ଼ ନିଦ୍ରାରେ ପ୍ରଶାସନ । ଯାଜପୁରରୁ ଲାମକୋକ୍ ବା ‘ଉଚ୍ଚ ମାନର କୋଇଲା’ ଜଳପଥ ଦେଇ ହାଜିରା ପ୍ଲାଣ୍ଟକୁ ପଠାଯାଉଛି । ଟ୍ରକରେ କୋଇଲା ପରିବହନ ସମୟରେ ଟ୍ରକ ମାଲିକ ସେଥିରେ ଘୋଟାଲା କରୁଛନ୍ତି । ଟ୍ରକକୁ ଅଧାବାଟରେ ରଖି ଉଚ୍ଚ ମାନର କୋଇଲାରୁ ପାଖାପାଖି ୩୦ ରୁ ୫୦ କ୍ଵିଣ୍ଟାଲ କାଢ଼ି ସେଥିରେ ସମାନ ଓଜନର ମାଟି, ବାଲି ଓ ପାଉଁଶ ଭର୍ତ୍ତି କରିବା ସହିତ ପାଣି ମାରି ତାହାକୁ ବନ୍ଦର ନିଷିଦ୍ଧାଞ୍ଚଳରେ ଖାଲି କରୁଛନ୍ତି । ଗତ ସୋମବାର ଦିନ ୧୩ଟି ଟ୍ରକରୁ ଖଣିଜ ଦ୍ରବ୍ୟ ଲୁଟ୍ କରାଯାଉଥିବା ବେଳେ ରେଡ ହ୍ୟାଣ୍ଡ ଧରିଛି ରପ୍ତାନିକାରୀ ସଂସ୍ଥା ।
ପାରାଦୀପ ବନ୍ଦରକୁ ଆସୁଥିବା ଆଇରନ, ଲାଇମଷ୍ଟୋନ, କ୍ରୋମାଇଟ ଭଳି ମୂଲ୍ୟବାନ ଖଣିଜ ପଦାର୍ଥ ଚୋରି ହେଉଛି । ଗତ ୫ ମାସ ତଳେ ୬ ଟି ମାଟି ମିଶା କ୍ରୋମାଇଟ ଟ୍ରକ ଜବତ କରାଯାଇଥିଲା । ମାତ୍ର ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ । ଫଳରେ ଚୋରା କାରବାରରେ ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିମାନେ ଅନାୟସରେ ଖସିଯାଉଛନ୍ତି । ଅନ୍ୟପଟେ ଖଣିଜ ସଂପଦ ଚୋରି ରାକେଟ ପାରାଦୀପ ଠାରୁ ଆରମ୍ଭ କରି ଯାଜପୁର, କଟକ, ମଙ୍ଗୁଳି, ଚଣ୍ଡିଖୋଲ ପର୍ଯ୍ୟନ୍ତ ଲମ୍ବିଛି । ବାହାର ରାଜ୍ୟର ଗାଡି ମାଲିକ ଏହି ଘଟଣାରେ ସଂପୃକ୍ତ ରହୁଛନ୍ତି । କିନ୍ତୁ ଏହାକୁ ରୋକିବାକୁ ପୋଲିସ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କରାଯାଉନାହିଁ ବୋଲି କହିଛନ୍ତି ଟ୍ରକ ମାଲିକ ସଂଘ ସଭାପତି । ନିକଟରେ ୧୩ଟି ଟ୍ରକକୁ ପୋଲିସ ଜବତ କରିବା ସହ ଡ୍ରାଇଭର ମାନଙ୍କୁ ପଚରାଉଚରା କରିଛି । ଘଟଣାରେ ସମ୍ପୃକ୍ତ ଡ୍ରାଇଭର ଓ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

