ଫିଲ୍ମ ଷ୍ଟାଇଲରେ ମାଫିଆଙ୍କ ସହ ଏକ୍ସାଇଜ୍ ଟିମର ଫାଇଟ୍ । କାଚ ଭାଙ୍ଗିବା ପରେ ମିଳିଲା କନ୍ଧମାଳର ଗଞ୍ଜେଇ । ଛାତ୍ରଙ୍କୁ ଢାଲ କରି ଚାଲିଥିଲା ନିଶା ସିଣ୍ଡିକେଟ । ଜଙ୍ଗଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ଅବକାରୀ ବିଭାଗ । ଭୁବନେଶ୍ୱରରେ ବଢୁଛି ଗଞ୍ଜେଇର କ୍ରେଜ । ମୋହରା ପାଲଟୁଛନ୍ତି କଲେଜ ପଢୁଆ ଛାତ୍ର । ନିଶା କାରବାରରେ ବ୍ୟବହାର ହେଉଛି ଦାମୀ ଗାଡ଼ି। ଭଲ କରି ନଜର ପକାନ୍ତୁ ଏହି ହୋଣ୍ଡା ସିଟି ଓ ହ୍ୟୁଣ୍ଡାଇ କ୍ରେଟା ଗାଡି ଉପରେ । ଅରଖ ନୂଆ ଦିଶୁଥିବା ଏହି ଗାଡ଼ିରେ ରାତିରେ କନ୍ଧମାଳରୁ ବାଲିଅନ୍ତା ହୀରାପୁରରୁ ଆସୁଥିଲା ନୀଳ ଜହର । ବିଶ୍ୱସ୍ତ ସୁତରୁ ଖବର ପାଇ ଗୋଡ଼ାଇଥିଲା ଅବକାରୀ ଟିମ । ଦୀର୍ଘ ସମୟର ଚକାପଞ୍ଝା ପରେ ମଧ୍ୟ ଗାଡି ନଅଟକିବାରୁ ବାଧ୍ୟ ହୋଇ କାଚ ଭାଙ୍ଗିଥିଲା ଟିମ । ୪ ଜଣଙ୍କୁ କାବୁ କରାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ପରେ ଜଣାପଡିଥିଲା । ଆଗକୁ ନୂଆବର୍ଷ ଥିବାରୁ ମାଫିଆଙ୍କ ଟାର୍ଗେଟରେ ଭୁବନେଶ୍ୱର ଥିବା କହିଛନ୍ତି ଅବକାରୀ ସୁପରିନଟେଣ୍ଡେଣ୍ଟ ।
କେବଳ ଏହି ଘଟଣା ନୁହେଁ ଦିନକ ତଳେ ଖୋର୍ଦ୍ଧା ପିତାପଲି ଠାରେ ଏକ ମାରୁତି ଗାଡିରେ ପନିପରିବା ଆସୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ପରିବା ତଳେ ଭର୍ତ୍ତି ହୋଇଥିଲା ଗଞ୍ଜେଇ । ବାହାରକୁ ଗନ୍ଧ ନଯିବା ପାଇଁ ଗଞ୍ଜେଇ ଉପରେ କିଛି ଶୁଖୁଆ ରଖାଯାଇଥିଲା। ସେହି କେସରେ ଅବକାରୀ ବିଭାଗ ଦୁଇଟି ଗାଡି ସମେତ ଦୁଇ ହଜାର ଲିଟର ଦେଶୀ ମଦ ଜବତ କରିଥିଲା । ୪ କରିତକର୍ମା ଙ୍କୁ ଗିରଫ କରାଯାଇଥିଲା । ନିତିଦିନ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ନିଶା ବେପାରୀଙ୍କ ସମ୍ପର୍କରେ ଜଣାଇଲେ ତାଙ୍କ ନାମ ଗୋପନ ରଖାଯାଉଛି । ବସ୍ତି ମାନଙ୍କରେ ମଧ୍ୟରେ ସ୍ପେଶାଲ ଡ୍ରାଇଭ ଚାଲୁଥିବା କହିଛନ୍ତି ସୁପରିନଟେଣ୍ଡେଣ୍ଟ ।

