ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ବାଂଲାଦେଶ ମଧ୍ୟରେ ବଢ଼ିଲା ତିକ୍ତତା। ଢାକାସ୍ଥିତ ଭାରତୀୟ ଭିସା ଆବେଦନ କେନ୍ଦ୍ରକୁ ବନ୍ଦ କଲା ଭାରତ। ବିଭିନ୍ନ ଆତଙ୍କୀ ସଂଗଠନ ପକ୍ଷରୁ ଧମକ ଦିଆଯିବା ପରେ ନିରାପତ୍ତା କାରଣରୁ ଏହି ପଦକ୍ଷେପ ନେଇଛି ଭାରତ। ବହୁ ବାଂଲାଦେଶୀ ନେତାଙ୍କ ଭାରତ ବିରୋଧୀ ମନ୍ତବ୍ଯକୁ କେନ୍ଦ୍ର କରି ମଧ୍ୟ ଭାରତ ଏହି ପଦକ୍ଷେପ ନେଇଛି। ଢାକ୍କାର ଯମୁନା ଫ୍ୟୁଚର ପାର୍କ ନିକଟରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ରକୁ ଗତକାଲି ଅପରାହ୍ମ ୨ଟାରୁ ବନ୍ଦ କରାଯାଇଛି। ଭିସା ସଂକ୍ରାନ୍ତ ଆବେଦନପତ୍ରଗୁଡିକ ସମ୍ପର୍କରେ ନିଷ୍ପତ୍ତି ପରେ ନିଆଯିବ ବୋଲି କୁହାଯାଇଛି। ଭାରତ ବିରୋଧରେ ଦିଆଯାଉଥିବା ମନ୍ତବ୍ୟ ପ୍ରସଙ୍ଗରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନୂଆଦିଲ୍ଲୀରେ ଅବସ୍ଥାପିତ ବାଂଲାଦେଶ ଉଚ୍ଚାୟୁକ୍ତ ଏମ. ରିଆଜ ହମିଦୁଲ୍ଲାଙ୍କୁ ସମନ ଜାରି କରାଯାଇ ଏହି ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି।
କୂଟନୈତିକ ସମ୍ପର୍କ ଦୃଷ୍ଟିରୁ ଭାରତୀୟ ଦୂତାବାସ ସମେତ ଅନ୍ୟାନ୍ୟ କାର୍ଯ୍ଯାଳୟଗୁଡ଼ିକର ସୁରକ୍ଷାକୁ ପ୍ରାଥମିକତା ଦେବା ଲାଗି ଦାବି କରିଛି ଭାରତ। ବାଂଲାଦେଶରେ ଘଟିଥିବା କିଛି ଅପ୍ରୀତିକର ଘଟଣା ପଛରେ ଭାରତର ହାତ ରହିଛି ବୋଲି ଯେଉଁ ଅଭିଯୋଗ ହେଉଛି ତାହାକୁ ବି ଖଣ୍ଡନ କରିଛି ବୈଦେଶିକ ମନ୍ତ୍ରାଳୟ। ଗତ ସୋମବାର ନ୍ୟାସନାଲ ସିଟିଜେନ ପାର୍ଟି ନେତା ହସନତ ଅବଦୁଲ୍ଲା କହିଥିଲେ- ଯଦି ବାଂଲାଦେଶରେ ଅସ୍ଥିରତା ସୃଷ୍ଟି କରାଯାଏ ତେବେ ଭାରତର ସାତ ଭଉଣୀ କୁହାଯାଉଥିବା ୭ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଭାରତରୁ ଅଲଗା କରିବା ଲାଗି ଯୋଜନା କରାଯିବ ଏବଂ ବିଚ୍ଛିନ୍ନତାବାଦୀମାନଙ୍କୁ ଆଶ୍ରୟ ଦିଆଯିବ। …

