ହଟ୍ଟଗୋଳ ଭିତରେ ରାଜ୍ୟସଭାରେ ପାସ ହେଲା ଭିବିଜୀ ରାମ ଜୀ ବିଲ୍
ନନ୍ଦିଘୋଷ ବ୍ୟୁରୋ: ଲୋକସଭା ପରେ ରାଜ୍ୟ ସଭାରେ ମଧ୍ୟ ପାରିତ ହେଲା ଭିବିଜୀ ରାମ ଜୀ ବିଲ୍ । ତେବେ ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ବିଲକୁ ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଦୀର୍ଘ ୬ ଘଣ୍ଟାର ଆଲୋଚନା ବିରୋଧୀଙ୍କ ହଟ୍ଟଗୋଳ ଓ ଓ୍ବାକଆଉଟ ମଧ୍ୟରେ ବିଧେୟକ ରାଜ୍ୟସଭାରେ ଗୃହିତ ହୋଇଛି ।
ବିଲକୁ ବିରୋଧ କରି ସଂସଦ ପରିସର ସମ୍ବିଧାନ କକ୍ଷ ବାହାରେ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରାୟ ଛଅ ଘଣ୍ଟା ଆଲୋଚନା ପରେ ଭିବିଜୀ ରାମ ଜୀ ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଥିଲା । ବିରୋଧୀ ଦଳ ରାଜ୍ୟସଭାରେ ହଙ୍ଗାମା କରିବା ସହ ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ ।
ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଭାଷଣ ପରେ ଯେତେବେଳେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିତର୍କର ଉତ୍ତର ଦେବାକୁ ଠିଆ ହୋଇଥିଲେ। ବିରୋଧୀ ସାଂସଦମାନେ ହଙ୍ଗାମା କରିବା ସହ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ସେମାନେ କଳା ଆଇନ ଫେରାଇ ନିଅ ସ୍ଲୋଗାନ ଦେଇଥିଲେ । ଶିବରାଜ ସିଂହ ଚୌହାନଙ୍କ ଭାଷଣ ସମୟରେ ମଧ୍ୟ ବିରୋଧୀ ସାଂସଦମାନେ ସ୍ଲୋଗାନ ଜାରି ରଖିଥିଲେ ଓ ବିଲ୍ ପ୍ରତ୍ୟାହାର ଦାବି କରି ୱାକଆଉଟ୍ କରିଥିଲେ । ମନ୍ତ୍ରୀଙ୍କ ଉତ୍ତର ପରେ ଏହାକୁ ଭଏସ୍ ଭୋଟ ଦ୍ୱାରା ଗୃହୀତ କରାଯାଇଥିଲା ।
ବିରୋଧୀ ସଦସ୍ୟଙ୍କ ଦ୍ୱାରା ଆଗତ ବିଲ୍ ଉପରେ ସଂଶୋଧନକୁ ଗୃହ ପ୍ରତ୍ୟାଖ୍ୟାନ କରିଥିଲା । ବିଲ୍ ପୂର୍ବରୁ ଲୋକସଭାରେ ମଞ୍ଜୁରୀ ପାଇଥିଲା ।
ଟିଏମସି ସାଂସଦଦଙ୍କ ବିରୋଧ
ଭିବିଜୀ ରାମ ଜୀ ବିଲକୁ ବିରୋଧ କରି ଟିଏମସି ସାଂସଦ ସଂସଦ ପରିସରରେ ଅହୋରାତ୍ର ଧାରଣା ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ନାଁକୁ ହଟାଇବାକୁ ନେଇ ଦଳ ପକ୍ଷରୁ ବିରୋଧ କରାଯାଇଛି । ରାତି ୧୨ଟାରୁ ଧାରଣାରେ ବସିଛନ୍ତି ଟିଏମସି ସାଂସଦ । ମନରେଗାକୁ ବଦଳାଇ ଭିବିଜୀ ରାମ ଜୀ ବିଲ୍ ଗୃହୀତ ହୋଇଛି ।

