ମାଲକାନଗିରି : ଭାଙ୍ଗୁଛି ଲାଲଦୁର୍ଗ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲଙ୍ଗାନାରେ ଆତ୍ମସମର୍ପଣ କଲେ ୪୧ ମାଓବାଦୀ। ଅସ୍ତ୍ରଶସ୍ତ୍ର ସହ ମାଓ ସଙ୍ଗଠନ ଛାଡି ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨୪ ଜଣ କୁଖ୍ୟାତ ମାଓବାଦୀ ରହିଛନ୍ତି । ସମସ୍ତ ମାଓବାଦୀଙ୍କ ନାମରେ ୧ କୋଟି ୪୬ ଲକ୍ଷ ୩୦ହଜାର ଟଙ୍କାର ପୁରସ୍କାର ରହିଥିଲା । ଦିନକୁ ଦିନ ମାଓ ସଙ୍ଗଠନ ଭାଙ୍ଗିବାରେ ଲାଗିଛି । ଅନେକ ବଡ ବଡ ମାଓ ନେତା ଓ ମାଓବାଦୀ ମାନେ ଜୀବନ ବଞ୍ଚାଇ ସଙ୍ଗଠନ ଛାଡିବାରେ ଲାଗିଛନ୍ତି । ହାଇଦ୍ରାବାଦରେ ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।
୨୪ଟି ବିଭିନ୍ନ ଅସ୍ତ୍ରଶସ୍ତ୍ର, ବନ୍ଧୁକ, ବିଜିଏଲ ଲଞ୍ଚର, ବିସ୍ଫୋରକ ଆଦି ପୋଲିସ ନିକଟରେ ହସ୍ତାନ୍ତର କରିଛନ୍ତି । ସେହିପରି ୭୩୩ଟି ଗୁଳି ମଧ୍ୟ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଏମାନେ ପୂର୍ବରୁ ଅନେକ ବଡ ବଡ ହିଂସାକାଣ୍ଡରେ ସାମିଲ ଥିଲେ । ସରକାରୀ ନୀତି ଅନୁଯାୟୀ ସମସ୍ତ ମାଓବାଦୀଙ୍କୁ ୨୫ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।

