ଶୀତଦିନେ ବିଲେଇ ଉପରେ ଥଣ୍ଡା ପାଣି ପକାଇ ମାରିବା ଘଟଣା, ମାମଲା ରୁଜୁ ପରେ ମୃତଦେହ ବ୍ୟବଚ୍ଛେଦ
ନନ୍ଦିଘୋଷ ବ୍ୟୁରୋ: ମରିଗଲା ମାନବିକତା, ବଳି ପଡିଲା ବିଲେଇ I ବିଲେଇକୁ ମାରିବା ଘଟଣାରେ ମାମଲା ରୁଜୁ ସହିତ ପୋଲିସ ଉପସ୍ଥିତିରେ ବିଲେଇର ହେଲା ପୋଷ୍ଟମର୍ଟମ I ଏମିତି ଏକ ଘଟଣା ରାଜଧାନୀରେ ଚର୍ଚ୍ଚାର କାରଣ ପାଲଟିଛି I ନିରୀହ ବିଲେଇର ଜୀବନ ନେବାକୁ ପଛେଇ ନାହିଁ ସ୍ୱାର୍ଥପର ମଣିଷ I ଶୀତ ଦିନରେ ଥଣ୍ଡା ପାଣି ଢ଼ାଳି ନିଷ୍ଠୁର ଭାବରେ ମାରି ଦେଲେ ବିଲେଇକୁ । ଏଭଲି ଅଭିଯୋଗ ସହିଦନଗର ଥାନାରେ ହୋଇଥିବା ବେଳେ ଏନେଇ ରୁଜୁ ହୋଇଛି ମାମଲା I
ସହିଦ ନଗର ଥାନାର ଦ୍ବାରସ୍ଥ ହୋଇ ପଶୁ ପ୍ରେମୀ ଶୀତ ରାତିରେ ବିଲେଇ ଉପରେ ଥଣ୍ଡା ପାଣି ଢାଳି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି I ଦୁଇ ମଣିଷଙ୍କ ମଧ୍ୟରେ ଆକ୍ରୋଶରୁ ବିଲେଇକୁ ମାରାଯାଇଥିବା ଅଭିଯୋଗ ହୋଇଛି । ସହିଦ ନଗର ପ୍ରାଣୀ ଚିକିତ୍ସାଳୟ ଆନିମଲ ହେଲ୍ପଲାଇନ ଆମ୍ବୁଲାନ୍ସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ବାବୁ ଜଣକ ଆଗରୁ ଅନେକ ପଶୁଙ୍କ ଜୀବନ ନେଇଥିବାର ବି ଅଭିଯୋଗ ରହିଛି ବୋଲି କହିଛନ୍ତି ଅଭିଯୋଗକାରୀ ମହିଳା I ପୋଲିସ ଉପସ୍ଥିତିରେ OUAT ପ୍ରାଣୀ ଚିକିତ୍ସାଳୟରେ ବିଲେଇର ପୋଷ୍ଟମର୍ଟମ ସରିଛି I ଘଟଣାକୁ ଗୁରୁତ୍ୱର ସହିତ ନେଇ ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତଙ୍କୁ ସହିଦ ନଗର ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି I

