ଚାଷୀଙ୍କୁ ଯୋଗାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ରଙ୍କ ଅପମାନ, କହିଲେ ଆନ୍ଦୋଳନଜୀବୀ
ନନ୍ଦିଘୋଷ ବ୍ୟୁରୋ: ଅନ୍ନଦାତାଙ୍କୁ ଯୋଗାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ରଙ୍କ ଅପମାନ । ଧାନ ବିକ୍ରି ସମସ୍ୟାକୁ ନେଇ ହଜାର ହଜାର ଚାଷୀ ହନ୍ତସନ୍ତ ହେଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ନିଜର ନାର୍ଯ୍ୟ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଏହି ସମୟରେ ଚାଷୀଙ୍କ ସପକ୍ଷରେ ଛିଡା ହେବା ବଦଳରେ ବିବାଦୀୟ ମନ୍ତବ୍ୟ ଦେଲେ ଯୋଗାଣ ମନ୍ତ୍ରୀ । ଚାଷୀଙ୍କୁ ଆନ୍ଦୋଳନଜୀବୀ କହି କଟା ଘା’ରେ ଚୂନ ଲଗାଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ଧାନ ସଂଗ୍ରହ ନେଇ ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଆନ୍ଦୋଳନଜୀବୀ । ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । ରାଜ୍ୟରେ ଡବଲ ବେଗରେ ଧାନ କିଣା ହେଉଛି । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ୧୨ ଜିଲ୍ଲାରେ ଧାନ ସଂଗ୍ରହ ସୁରୁଖୁରୁରେ ଚାଲିଛି । ବର୍ତ୍ତମାନ ୧୯ ଲକ୍ଷରୁ ଅଧିକ ଚାଷୀ ପଞ୍ଜିକରଣ କରିସାରିଛନ୍ତି । ୧ ଲକ୍ଷ ଚାଷୀ ଧାନ ବିକ୍ରି କରି ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୪୧ ହଜାର ଚାଷୀଙ୍କୁ ଟୋକନ ଦିଆଯାଇଛି ।

