ଧାନ କିଣାକୁ ନେଇ ଥମୁନି ବିବାଦ, ଯୋଗାଣ ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ବିରୋଧୀଙ୍କ ତୁମ୍ବିତୋଫାନ
ନନ୍ଦିଘୋଷ ବ୍ୟୁରୋ: ଧାନକିଣା ଡବଲ ସ୍ପିଡରେ ଚାଲିଛି । ଚଳିତବର୍ଷ ସରକାର ୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ରାସ୍ତାରେ ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଆନ୍ଦୋଳନଜୀବୀ । ଯୋଗାଣ ମନ୍ତ୍ରୀଙ୍କ ଏପରି ବୟାନକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିବାବେଳେ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ମିଛ କହି ଭୋଟ ନେଲା ପରେ ଚାଷୀଙ୍କୁ ଯୋଗାଣ ମନ୍ତ୍ରୀ ଆନ୍ଦୋଳନଜୀବୀ କହିବା ନିହାତି ଅଶୋଭନୀୟ ବୋଲି ବିଜେଡି କହିଛି । କଂଗ୍ରେସ ମଧ୍ୟ ସରକାରଙ୍କୁ କଠୋର ଭାଷାରେ ଟାର୍ଗେଟ କରିଛି ।
ଟୋକନ ପାଇଁ ସମ୍ବଲପୁର ବନ୍ଦ । ଧାନ ଉଠୁ ନଥିବାରୁ ବଲାଙ୍ଗୀରରେ ଚାଷୀଙ୍କ ଜିଲ୍ଲାପାଳ ଅଫିସ ଘେରାଉ । କଳାହାଣ୍ଡି, ବରଗଡ ସବୁଠି ଧାନ କିଣାରେ ଅବ୍ୟବସ୍ଥା । ଟୋକନ ସମସ୍ୟା ଓ ଧାନ ଉଠାଣକୁ ନେଇ ଚାଷୀ ହନ୍ତସନ୍ତ ହେଉଥିବା ବେଳେ ସରକାର କିନ୍ତୁ ବେଫିକର । ଧାନ କିଣାକୁ ନେଇ ପୂରା ରାଜ୍ୟରେ ଚାଷୀ ଅସନ୍ତୋଷ ଥିବା ବେଳେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଛନ୍ତି ବିବାଦୀୟ ବୟାନ । ରାସ୍ତାରେ ଆନ୍ଦୋଳନ କରୁଥିବା ଚାଷୀ ହେଉଛନ୍ତି ଆନ୍ଦୋଳନଜୀବୀ । ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । କିନ୍ତୁ ସୁରୁଖୁରୁରେ ଚାଲିଛି ଧାନ ସଂଗ୍ରହ । ଚଳିତବର୍ଷ ଧାନକିଣା ଡବଲ ସ୍ପିଡରେ ହେଉଥିବା ମନ୍ତ୍ରୀ ଯୁକ୍ତି ବାଢିଛନ୍ତି । ଚଳିତବର୍ଷ ୧୯ ଲକ୍ଷ ୬୮ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୪୧ ହଜାର ଟୋକନ ଇସ୍ୟୁ ହେବା ସହ ୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିଛନ୍ତି ସରକାର । ବର୍ତ୍ତମାନ ସୁଦ୍ଧା ଲକ୍ଷେ ଚାଷୀ ଧାନ ବିକି ସାରିଲେଣି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କ ସୂଚନା ଅନୁସାରେ ବରଗଡ଼ରେ ୧ ଲକ୍ଷ ୮୦ ହଜାର ୭୮୫ ମେଟ୍ରିକ ଟନ ଧାନ ସଂଗ୍ରହ ସରିଲାଣି । ସମ୍ବଲପୁରରେ ୧ ଲକ୍ଷ ୩୪ ହଜାର ୭୧୮ମେଟ୍ରିକ ଟନ ଧାନ ଉଠି ସାରିଲାଣି । କଳାହାଣ୍ଡି ୯୦ ହଜାର, ନୂଆପଡା ୫୭ ହଜାର ମେଟ୍ରିକ ଟନ ଧାନ ଉଠିଲାଣି ।
ସେପଟେ ଚାଷୀଙ୍କୁ ଯୋଗାଣମନ୍ତ୍ରୀ ଆନ୍ଦୋଳନଜୀବୀ କହିବାକୁ ନେଇ କଡା ଜବାବ ଦେଇଛି ବିଜେଡି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଭୋଟ ନେଇସାରିଲା ପରେ ଚାଷୀଙ୍କୁ ବିଜେପି ସରକାର ଆନ୍ଦୋଳନଜୀବୀ କହୁଛି । ଧାନ କିଣାରେ ସମ୍ପୃକ୍ତ ୩ ବିଭାଗ ମଧ୍ୟରେ ସାମଞ୍ଜସ୍ୟ ନାହିଁ । ସରକାର ଧାନ କିଣିବାକୁ ଅକ୍ଷମ । ଚାଷୀଙ୍କୁ ସାହାଯ୍ୟ କରିବାକୁ ଅକ୍ଷମ । ସେ କଥା ସରାକର ଘୋଷଣା କରି ଦିଅନ୍ତୁ ବୋଲି କହିଛି ବିଜେଡି । ଆମେ ମିଛ କଥା କହି ସରକାରକୁ ଆସିଥିଲୁ । ଆମେ ତୁମ କଥା ପୂରଣ କରି ପାରିବୁ ନାହିଁ । ତା’ହେଲେ ଚାଷୀ ତାଙ୍କ ଅନ୍ୟବାଟ ଖୋଜିବେ । ଚାଷୀଙ୍କୁ ମିଛ ପ୍ରତିଶୃତି ଦେବାରୁ ସରକାର ଖ୍ୟାନ୍ତ ହେବା ଦରକାର ବୋଲି ବିଜେଡି । କଂଗ୍ରେସ ମଧ୍ୟ ଚାଷୀ ସମସ୍ୟାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ।
ଚଳିତବର୍ଷ ମାସେ ବିଳମ୍ବରେ ଧାନ କିଣା ଆରମ୍ଭ କରିଛନ୍ତି ସରକାର । ମଣ୍ଡିରେ ଚାଷୀ ନାନା ସମସ୍ୟା ଭୋଗୁଥିବା ବେଳେ ଚାଷୀଙ୍କୁ ଟୋକନ ମିଳୁନଥିବାରୁ ପଶ୍ଚିମ ଓଡିଶାରେ ଚାଷୀ ହନ୍ତସନ୍ତ ହେଉଛନ୍ତି । ଏତେ ସବୁ ପରେ ମଧ୍ୟ ସରକାର କହୁଛନ୍ତି ସୁରୁଖୁରୁରେ ଚାଲିଛି ଧାନ କିଣା ।

