୧୭ ବର୍ଷର ଆତ୍ମନିର୍ବାସନ ପରେ ବାଂଲାଦେଶ ଫେରିଲେ ତାରିକ ରେହମାନ। ବାଂଲାଦେଶ ଜାତୀୟତାବାଦୀ ପାର୍ଟି ବା ବିଏନପିର କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ଲାଗି ଢାକାରେ ସମବେତ ହୋଇଛନ୍ତି ଲକ୍ଷାଧିକ ସମର୍ଥକ। ବିଭିନ୍ନ କାରଣରୁ ସେ ପ୍ରାୟ ୧୭ ବର୍ଷ ଧରି ଲଣ୍ଡନରେ ଆତ୍ମନିର୍ବାସିତ ଜୀବନ କଟାଉଥିଲେ। ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ପୁଅ। ଆସନ୍ତା ବର୍ଷ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ବିଏନପି ଯୋଗ ଦେବାକୁ ଯାଉଥିବାରୁ କ୍ଷେତ୍ର ପ୍ରସ୍ତୁତ ଲାଗି ତାରିକ ବାଂଲାଦେଶ ଫେରିଛନ୍ତି। ସେ ବିମାନ ବାଂଲାଦେଶ ଏୟାରଲାଇନ୍ସର ଏକ ବିମାନରେ ଲଣ୍ଡନରୁ ଫେରିଛନ୍ତି। ଭାରତ ସପକ୍ଷବାଦୀ ଆୱାମି ଲିଗକୁ ବାଂଲାଦେଶ ସାଧାରଣ ନିର୍ବାଚନ ଲଢିବା ଲାଗି ବାରଣ କରାଯାଇଥିବା ବେଳେ ତାରିକଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଗୁରୁତ୍ବପୂର୍ଣ୍ଣ ହୋଇଛି। ସେପଟେ ତାରିକଙ୍କ ମା ବେଗମ ଖାଲେଦା ଜିଆ ବି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।
ଆସନ୍ତା ଫେବୃଆରୀ ୧୨ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ତା ପୂର୍ବରୁ ସେ ସ୍ବଦେଶ ଫେରିଛନ୍ତି। ଆୱାମି ଲିଗ୍ ଶାସନ କାଳରେ ତାରିକଙ୍କ ବିରୋଧରେ ଆଇନଗତ ପ୍ରତିବନ୍ଧକ ଲାଗିଥିବାରୁ ସେ ଫେରିପାରୁ ନଥିଲେ। ବିଭିନ୍ନ ହାଇପ୍ରୋଫାଇଲ ମାମଲାରୁ ସେ ଖଲାସ ହେବା ପରେ ତାରିକ ଢାକା ଫେରିଛନ୍ତି। ତାରିକ ଆଜି ଯାଏ କୌଣସି ନିର୍ବାଚନ ଲଢିନାହାନ୍ତି। ୨୦୦୮ରୁ ସେ ଲଣ୍ଡନରେ ବାସ କରିଆସୁଥିଲେ। ସେବଠାରୁ ସେ ଲଣ୍ଡନରୁ ବିଏନପିକୁ ପରିଚାଳନା କରୁଥିଲେ। ୨୦୦୧ରୁ ୨୦୦୬ ଯାଏ ବିଏନପିର ବିବାଦୀୟ ମୁଖ୍ୟ କାର୍ଯ୍ଯାଳୟ ଥିଲା ହାୱା ଭବନ। ସେହି ସମୟରେ ତାରିକ ଦଳର ସବୁ କଥା ବୁଝୁଥିଲେ। ତେବେ ହାୱା ଭବନ ଥିଲା ଅନେକ ଦୁର୍ନୀତି, ରାଜନୈତିକ ହିଂସାର ପ୍ରମୁଖ କେନ୍ଦ୍ର।

