spot_img

Latest Posts

ନୂଆବର୍ଷରୁ ରାଜସ୍ବ ସେବା କ୍ଷେତ୍ରରେ ଲୋକଙ୍କୁ ମିଳିବ ସହଜ ଓ ସରଳ ସେବା

ନୂଆବର୍ଷରୁ ରାଜସ୍ବ ସେବା କ୍ଷେତ୍ରରେ ଲୋକଙ୍କୁ ମିଳିବ ସହଜ ଓ ସରଳ ସେବା

ନନ୍ଦିଘୋଷ ବ୍ୟୁରୋ: ଏଣିକି ଲୋକଙ୍କ ପାଇଁ ସହଜ ହେବେ ରାଜସ୍ବ ସେବା । ଆସୁଛି ରାଜସ୍ବ ସଂସ୍କାର । ନୂଆବର୍ଷରୁ ନୂଆ ରୂପରେ ଲୋକଙ୍କୁ ମିଳିବ ରାଜସ୍ବ ସେବା । ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଲୋକଙ୍କ ସହଜ ଓ ସରଳ ଭାବେ ରାଜସ୍ବ ସେବା ପହଞ୍ଚାଇବା ପାଇଁ ନେଇଛନ୍ତି ବହୁବିଧ ପଦକ୍ଷେପ । ଜମିପଟ୍ଟାରେ ଉତ୍ତରାଧିକାରୀଙ୍କ ନାମ ସ୍ବୟଂକ୍ରିୟ ଭାବେ ଉଲ୍ଲେଖ ରହିବ। ଜବରଦଖଲ ଉଚ୍ଛେଦ ଓ ସରକାରୀ ଜମିର ସୁରକ୍ଷା ବି ରାଜସ୍ବ ବିଭାଗ ପାଇଁ ବଡ଼ ଟାସ୍କ । ସରକାରଙ୍କ ଏହି ଆଭିମୁଖ୍ୟକୁ ନେଇ ଆସନ୍ତା ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି ରାଜସ୍ବ ପାଠଶାଳା । ପ୍ରତି କାର୍ଯ୍ୟଦିବସର ସନ୍ଧ୍ୟାରେ ଘଣ୍ଟାଏ ରାଜସ୍ବ ଅଧିକାରୀମାନଙ୍କୁ ଦିଆଯିବ ପ୍ରଶିକ୍ଷଣ । ସେପଟେ ସରକାରଙ୍କ ନୀତିରେ ଲୋକେ ଉପକୃତ ହେବାକୁ ହେଲେ ରାଜସ୍ବ ଅଧିକାରୀମାନେ ଆନ୍ତରିକତା ଦେଖାଇବା ଉଚିତ ବୋଲି ସମୀକ୍ଷକ ମତ ରଖିଛନ୍ତି ।

ଜାନୁଆରୀରୁ ରାଜସ୍ବ ଅଧିକାରୀ ପଢ଼ିବେ ପାଠ । ନୂଆବର୍ଷରୁ ରାଜସ୍ବ ସେବା କ୍ଷେତ୍ରରେ ଲୋକଙ୍କୁ ମିଳିବ ସହଜ ଓ ସରଳ ସେବା । ଏ ନେଇ ପ୍ରତି କାର୍ଯ୍ୟଦିବସ ସନ୍ଧ୍ୟାରେ ଏକ ଘଣ୍ଟା ପାଇଁ କ୍ଷେତ୍ରୀୟ ସ୍ତରରେ ଥିବା ରାଜସ୍ବ ଅଧିକାରୀ ରାଜସ୍ବ ପାଠଶାଳାରେ ପ୍ରଶିକ୍ଷଣ ପାଇବେ । ସନ୍ଧ୍ୟା ୫ରୁ ୬ ଘଣ୍ଟାଏ ଅନଲାଇନ କ୍ଲାସ ନେବେ ରାଜସ୍ବ ବିଭାଗର ବରିଷ୍ଠ ଅଧିକାରୀ । ଗତ ୧୮ ମାସ ମଧ୍ୟରେ ରାଜସ୍ବ ସେବାକୁ ଲୋକଙ୍କ ନିକଟତର କରିବାକୁ ଅନେକ ପଦକ୍ଷେପ ନିଆଯାଇଛି । ଜମି ବନ୍ଦୋବସ୍ତ କ୍ଷମତା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଏହାସହ ଜମି ପଟ୍ଟାରେ ନାମ ଥିବା ବ୍ୟକ୍ତି ଦେହାନ୍ତ ପରେ ତା’ର ଉତ୍ତରାଧିକାରୀଙ୍କ ନାମ ସ୍ବୟଂକ୍ରିୟ ଭାବେ ପଟ୍ଟାରେ ଉଲ୍ଲେଖ ହୋଇଯିବ । ଏହାସହିତ ପାର୍ଟ ପ୍ଲଟ ପଞ୍ଜୀକରଣଠାରୁ ଜବରଦଖଲ ଉଚ୍ଛେଦ ପର୍ଯ୍ୟନ୍ତ ରାଜସ୍ବ ବିଭାଗ ଅଧିକାରୀମାନଙ୍କୁ ଟାର୍ଗେଟ ଦେଇଛି । ସରକାରଙ୍କ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ତୃଣମୂଳ ସ୍ତରର ଅଧିକାରୀମାନେ ବାରମ୍ବାର ଝୁଣ୍ଟୁଛନ୍ତି । ସରକାରଙ୍କ ନିଷ୍ପତ୍ତି ଲୋକଙ୍କ ପାଖରେ ପହଞ୍ଚାଇବାକୁ ସକ୍ଷମ ହେଉନାହାନ୍ତି । ରାଜସ୍ବ ପାଠଶାଳାରେ ତହସିଲଦାର, ଅତିରିକ୍ତ ତହସିଲଦାର, ଆରଆଇ, ଅମିନଙ୍କୁ ପ୍ରଶିକ୍ଷଣ ଦିଆଯିବ ।

ସରକାରଙ୍କ ରାଜସ୍ବ ସଂସ୍କାର ନୂଆ କଥା ନୁହେଁ । ପୂର୍ବରୁ ଥିବା ସରକାରଙ୍କ ଅମଳରେ ଏଭଳି ସଂସ୍କାର ରୂପୀ ପଦକ୍ଷେପ ନିଆଯାଇଛି । ହେଲେ ତଳ ସ୍ତରରେ ଥିବା କ୍ଷେତ୍ରୀୟ ଅଧିକାରୀମାନେ ଲୋକଙ୍କୁ ସହଜରେ ସେବା ଦେଉନାହାନ୍ତି । ଫଳରେ ଲୋକେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବର ସରକାରଙ୍କ ଆଭିମୁଖ୍ୟକୁ ନେଇ ସଂଶୟ ପ୍ରକାଶ କରିଛନ୍ତି ସମୀକ୍ଷକ । କହିଛନ୍ତି, ଗ୍ରାମାଞ୍ଚଳରେ ଲୋକଙ୍କ ଜମିଜମା ସମସ୍ୟା ଅଧିକ ରହିଛି । ତହସିଲ ସ୍ତରରେ ଅଡୁଆ ତୁଟୁ ନଥିବାରୁ ଲୋକେ ଥାନା, କୋର୍ଟ, କଚେରୀ ଦୌଡ଼ୁଛନ୍ତି । ପଟ୍ଟା ଖଣ୍ଡେ ପାଇବାକୁ ମାସ ମାସ ଧରି ଲୋକଙ୍କୁ ଦୌଡ଼ିବାକୁ ପଡ଼ୁଛି । ଜମିର ମାପଚୁପ ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡୁଛି । ରାଜସ୍ବ ବିଭାଗରେ ଦୁର୍ନୀତି ତଳରୁ ଉପର ଯାଏଁ ଗ୍ରାସ କରିଛି । ବିଜୁ ବାବୁ, ଜାନକୀ ବାବୁ, ନବୀନ ବାବୁଙ୍କ ସରକାରରେ ବି ଅନେକ ସଂସ୍କାର ଆସିଛି । ଏ ସରକାର ବି କିଛି ସଂସ୍କାର ଆଣିଛନ୍ତି । ହେଲେ ଉପରମୁଣ୍ଡର ନିଷ୍ପତ୍ତି ତଳସ୍ତରରେ କାର୍ଯ୍ୟକାରୀ ହୋଇପାରୁନାହିଁ । ଏଥିପାଇଁ ପାଠ ନୁହେଁ, ବରଂ ଅଧିକାରୀଙ୍କ ମାନସିକତା ବଦଳିବା ଦରକାର ବୋଲି ମତ ଦେଇଛନ୍ତି ସମୀକ୍ଷକ ।

ଗତ ୧୮ ମାସରେ ରାଜସ୍ବ ବିଭାଗର ୧୩ଟି କ୍ଷେତ୍ରରେ ସଂସ୍କାର ଆସିଛି । ଉଦ୍ଦେଶ୍ୟ ଲୋକଙ୍କୁ ସହଜ, ସରଳ ରାଜସ୍ବ ସେବା ଯୋଗାଇବା । ବିଭାଗୀୟ ମନ୍ତ୍ରୀ ବାରମ୍ବାର ତାଗିଦ କରିବା ସତ୍ତ୍ବେ ତହସିଲରେ ଚିତ୍ର ବଦଳୁନି । ଏବେ ଅନଲାଇନ୍ କ୍ଲାସ ରାଜସ୍ବ ପାଠଶାଳା କେତେ କାମ ଦେଉଛି, ଲୋକଙ୍କୁ କେମିତି ଫାଇଦା ମିଳୁଛି, ତାହା ଉପରେ ରାଜ୍ୟବାସୀଙ୍କ ନଜର ।

Latest Posts

Don't Miss