ବିଜେଡି ଶାସନରେ ଓଡ଼ିଶା ଛୁଇଁଥିଲା ବିକାଶର ଶିଖର, ଶହେ ବର୍ଷ ଯାଏଁ ରାଜ୍ୟବାସୀଙ୍କ ସାଜିବ ସ୍ବର: ନବୀନ ପଟ୍ଟନାୟକ
ନନ୍ଦିଘୋଷ ବ୍ୟୁରୋ: ସେବା, ସ୍ବାଭିମାନ ଓ ସଂଗ୍ରାମ । ଏହି ମୂଳମନ୍ତ୍ର ନେଇ ଆଜି ଶଂଖ ଭବନରେ ବେଶ ଉତ୍ସାହ ସହ ବିଜୁ ଜନତା ଦଳ ପାଳିଛି ୨୯ତମ ପ୍ରତିଷ୍ଠା ଦିବସ । ବର୍ତ୍ତମାନ ବିଜେଡି ଏକ ଜନ ଆନ୍ଦୋଳନ ପାଲଟିଥିବା ବିଜୁ ଜନତା ଦଳର ଭବିଷ୍ୟତକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ସ୍ପଷ୍ଟ କରିବା ପରେ ଜନସେବା କାର୍ଯ୍ୟକ୍ରମକୁ ଆହୁରି ଆଗକୁ ନେବାକୁ ସଂକଳ୍ପ ନେଇଛନ୍ତି ଦଳୀୟ ନେତା ଓ କର୍ମୀ । ବିରୋଧୀରେ ଥାଇ ବି ଲୋକଙ୍କ ସ୍ବର ସାଜିବାର କାର୍ଯ୍ୟକ୍ରମ ଜାରି ରଖିବ ବିଜୁ ଜନତା ଦଳ ।
ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଆଜି ଶଂଖ ଭବନରେ ଦଳୀୟ ନେତା ଓ କର୍ମୀଙ୍କ ଭିଡ଼ ଜମିଥିଲା । ପାରମ୍ପରିକ ନୃତ୍ୟ, ଗୀତ, ବାଦ୍ୟ ଓ ଶଂଖ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ବିରାଟ ପଟୁଆରରେ ଭୁବନେଶ୍ବରର ସମସ୍ତ ନିର୍ବାଚନ ମଣ୍ଡଳୀରୁ ଦଳୀୟ ନେତା ଓ କର୍ମୀ ପଦଯାତ୍ରା ମାଧ୍ୟମରେ ପହଞ୍ଚିଥିଲେ ଶଂଖ ଭବନ । ସକାଳୁ ସକାଳୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବି ଦେଇଥିଲେ ସେବାର ବାର୍ତ୍ତା । ନିଜ ସୋସିଆଲ ମିଡିଆରେ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇ ନବୀନ ଉଲ୍ଲେଖ କରିଥିଲେ ଯେ ଲୋକଙ୍କ ସ୍ବର ହୋଇ ବିଜୁ ଜନତା ଦଳ ସାଜିଛି ଓଡ଼ିଶାର ବଳ । ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ । ବିଜୁ ବାବୁଙ୍କ ଆଦର୍ଶ ଏବଂ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି । ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତେ ସେବା, ସ୍ବାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।
ବିଜେଡି ଦେଶର ଦୃଢ ଆଞ୍ଚଳିକ ଦଳ । କଂଗ୍ରେସର ଜନ ବିରୋଧୀ ହାଓ୍ବା ବିରୋଧରେ ୧୯୯୭ରେ ଜନ୍ମ ନେଇଥିଲା ବିଜେଡି । ଯାହାର ନେତୃତ୍ବ ନେଇ ଅଭାବୀ ଓଡ଼ିଶାକୁ ପ୍ରଭାବୀ ଓଡ଼ିଶାରେ ପରିଣତ କରିବାରେ ସଫଳ ହୋଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ବିଜେପି ସରକାର ଏ ସବୁ ବିକାଶ ଗୁଡ଼ିକ ବିରୋଧରେ କାମ କରୁଥିବା ଅଭିଯୋଗ କରିଛି ବିଜେଡି । ଏହା ବିରୋଧରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ଓଡ଼ିଶାର ସ୍ବାଭିମାନ ପାଇଁ ସଂଗ୍ରାମ କରିବା ସହ ସେବା ଜାରି ରଖିବା ନେଇ ସଂକଳ୍ପ ନେଇଛି ।
ମହିଳା ସଶକ୍ତିକରଣରୁ ଆରମ୍ଭ କରି ତୃଣମୂଳ ସ୍ତରର ଲୋକଙ୍କ ବିକାଶକୁ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗୁରୁତ୍ବ ଦେଇ ଆସିଛି ବିଜୁ ଜନତା ଦଳ । ସେହିପରି ଯୁବଶକ୍ତି ଦଳର ପୁଞ୍ଜି ବୋଲି ନବୀନ ଆଖ୍ୟା ଦେଇଛନ୍ତି । ଯାହା ମହିଳା, ଯୁବକ ଓ ଛାତ୍ର ପରି ବିଜେଡିର ଛାମୁଆ ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ମାର୍ଗ ଦେଖାଇଛି । ବର୍ତ୍ତମାନର ଆହ୍ବାନକୁ ଭବିଷ୍ୟତ ପାଇଁ ସୁଯୋଗରେ ରୂପାନ୍ତରିତ କରି ଏକ ସଶକ୍ତ ଓଡ଼ିଶା ଗଠନ ଦିଗରେ ବ୍ରତୀ ହେବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ବିଜେଡି ଓ ବିକାଶ ଗୋଟାଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜନ କଲ୍ୟାଣ ଦିଗରେ ନବୀନ ପଟ୍ଟନାୟକଙ୍କ ସରକାର କାମ କରିଥିଲା । ଯେଉଁଥି ପାଇଁ ଆଜି ବିରୋଧୀରେ ଥିବା ସତ୍ତ୍ବେ, ଦେଶର ସବୁଠାରୁ ଶକ୍ତିଶାଳୀ ଆଞ୍ଚଳିକ ଦଳ ହେବାରେ ସକ୍ଷମ ହୋଇ ପାରିଛି ବିଜୁ ଜନତା ଦଳ ।

