spot_img

Latest Posts

ବ୍ୟାଙ୍କ ବନ୍ଦ ଥିବା ସମୟରେ ସୁଡ଼ଙ୍ଗ କରି ଲୁଟିନେଲେ ୩୦୦ କୋଟି

ଯେତେବେଳେ ଲୋକମାନେ କ୍ରିସମସର ଛୁଟି ପାଳନ କରୁଥିଲେ, ଠିକ୍ ସେହି ସମୟରେ ସରକାରୀ ସଂସ୍ଥା ବନ୍ଦ ରହିଥିଲା । ଏଭଳି ସ୍ଥିତିରେ କିଛି ଅପରାଧୀ ଏହି ଶାନ୍ତ ମାହୋଲର ଫାଇଦା ଉଠାଇବାକୁ ପଛାଇନଥିଲେ । ଜର୍ମାନୀର ଏକ ଅତିସୁରକ୍ଷିତ ବ୍ୟାଙ୍କରେ ସୁଡ଼ଙ୍ଗ କରି ଅପରାଧୀମାନେ ୩୦୦ ତିଜୋରିକୁ ଭାଙ୍ଗି ପାଖାପାଖି ୩୦୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିଲେ । ପଶ୍ଚିମ ଜର୍ମାନୀର ଏକ ପ୍ରମୁଖ ସହର ଗେଲସେନକିର୍ଚେନ ସ୍ଥିତ ସ୍ପାର୍କସେ ସେଭିଙ୍ଗ ବ୍ୟାଙ୍କରେ ତିଜୋରିକୁ ଭାଙ୍ଗିବା ପାଇଁ ଅପରାଧୀମାନେ ଏକ ବଡ଼ ଡ୍ରିଲର ବ୍ୟବହାର କରିଥିଲେ । ବ୍ୟାଙ୍କରେ ପଶିବା ପାଇଁ ସେମାନେ ଏକ ସୁଡ଼ଙ୍ଗ କରିଥିଲେ । ତା’ପରେ ଭିତରକୁ ଯାଇ ଲକରରୁ ପଇସା କାଢ଼ି ଆରାମରେ ଫେରାର ହୋଇଯାଇଥିଲେ ।

ପୋଲିସ ବିଭାଗର ଜଣେ ମୁଖପାତ୍ର ଏହି ଘଟଣାକୁ ହଲିଉଡ ଫିଲ୍ମ ‘ଓଶନ୍ସ ଇଲେବନ’ ସହ ତୁଳନା କରିଛନ୍ତି । ଡକାୟତମାନେ କ୍ୟାଶ, ସୁନା ଓ ଅଳଙ୍କାର ଭରି ରହିଥିବା ୩ ହଜାରରୁ ଅଧିକ ତିଜୋରିକୁ ଭାଙ୍ଗିଥିଲେ । ସକାଳେ ନିଆଁ ଲାଗିବାର ଆଲାର୍ମ ବାଜିବା ପରେ ପୋଲିସକୁ ଏହି ଚୋରି ବାବଦରେ ସୂଚନା ମିଳିଥିଲା । ଏହାପରେ ଅଣ୍ଡରଗ୍ରାଉଣ୍ଡ ଲକର ରୁମରେ ସୁଡ଼ଙ୍ଗ ହୋଇଥିବା ଜଣାପଡ଼ିଥିଲା । ଏହି ଘଟଣା ପରେ ପୋଲିସ ଓ ଦମକଳ ବାହିନୀ ବିଲଡିଂରେ ଖାନତଲାସୀ ଆରମ୍ଭ କରିଥିଲେ । ଏହି ଘଟଣା ପରେ ବ୍ୟାଙ୍କ ବାହାରେ ଗ୍ରାହକଙ୍କ ଭିଡ଼ ଜମିଥିଲା । ତୁର୍କୀର ଅନେକ ମୂଳ ବାସିନ୍ଦା ଏହି ବ୍ୟାଙ୍କର ଗ୍ରାହକ ଥିଲେ । ସେମାନେ ବ୍ୟାଙ୍କ ଲକର ରୁମରେ ସେଫ-ଡିପୋଜିଟରେ ସୁନା ଗହଣା ରଖିଥିଲେ । ସେମାନଙ୍କର ସେଫ ଡିପୋଜିଟର ବୀମା ରହିଛି, ମାତ୍ର ସେମାନେ ରଖିଥିବା ଜିନିଷର ମୂଲ୍ୟ ବୀମାର ଦାମ୍ ଠାରୁ ବହୁତ ଅଧିକ । ପ୍ରଭାବିତ ଗ୍ରାହକଙ୍କୁ ସ୍ପାର୍କସେ ବ୍ୟାଙ୍କ ସହ ସମ୍ପର୍କ କରିବାକୁ କୁହାଯାଇଛି । ବ୍ୟାଙ୍କ ପକ୍ଷରୁ ହେଲପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି ।

Latest Posts

Don't Miss