ଗାଡି ପାର୍କିଂ ବେଳେ ଗଡ଼ିଲା ମୁଣ୍ଡ । ପୂର୍ବ ଶତ୍ରୁତାକୁ ନେଇ ବିଭତ୍ସ ମର୍ଡର । ନୂଆବର୍ଷରେ ହତ୍ୟାକାଣ୍ଡ ମାମଲା ରୁଜୁ । ହାର୍ଡକୋର କିଲରଙ୍କୁ ଖୋଜୁଛି ନୂଆପଲ୍ଲୀ ଥାନା ପୋଲିସ । ୨୭ ତାରିଖ ସନ୍ଧ୍ୟା ୭ ଟା । ନୟାପଲ୍ଲୀ ଥାନା ଅଧିନ ଠିକ ଏହି ସ୍ଥାନରେ ଡ୍ରାଇଭର ଭାବେ କାମ କରୁଥିବା ଯୋଗେନ୍ଦ୍ର ଦାସ ଓରଫ ବବଲୁ, ନିଜ କାର ପାର୍କ କରୁଥିଲେ । ଗାଡିରୁ ଓହ୍ଲାଇବା କ୍ଷଣି ମୁଣ୍ଡରେ ପଡିଥିଲା ଖଣ୍ଡା ଚୋଟ । କିଛି ବୁଝିବା ଆଗରୁ ୬ ଜଣ ଯୁବକ ବବଲୁ ଙ୍କୁ ହାଣି ଲହୁଲୁହାଣ କରିଦେଇଥିଲେ । ମୁଣ୍ଡରେ ଗଭୀର କ୍ଷତ ଲାଗିଥିବାବେଳେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ୩୧ ତାରିଖ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା । କାନ୍ଦ ବୋବାଳିରେ କମ୍ପିଛି ୟୁନିଟ ୮ ଅଞ୍ଚଳ ।
୨୭ ତାରିଖରେ ଏ ନେଇ ନୟାପଲ୍ଲୀ ଥାନାରେ କେସ ରୁଜୁ ହେବା ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ଅନ୍ୟ ୫ ମର୍ଡର କେସ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ପୂର୍ବ ଶତ୍ରୁତାରୁ ଏଭଳି ବିଭତ୍ସ କାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି । ନିଶା କାରବାରକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ପୂର୍ବରୁ ମଧ୍ୟ ଝଗଡା ହୋଇଥିବା ଜାଣିବାକୁ ପାଇଛି ପୋଲିସ । ଫେରାର ଅଭିଯୁକ୍ତଙ୍କ ନାଁରେ ୧୦ ରୁ ଉର୍ଦ୍ଧ୍ବ କେସ ଥିବା ଜଣାପଡିଛି । ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

