spot_img

Latest Posts

ନୂଆବର୍ଷରେ ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପାଲଟିଛି ଜନ ସମୁଦ୍ର

ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଛି ପୁରୀ ବଡ଼ଦାଣ୍ଡ । ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପାଲଟିଛି ଜନ ସମୁଦ୍ର । ନୂଆବର୍ଷର ପ୍ରଥମ ଦିନରେ ମହାପ୍ରଭୁଙ୍କ ଆଶିଷ ନେବାକୁ ଛୁଟିଛନ୍ତି ରାଜ୍ୟ ଓ ରାଜ୍ୟ ବାହାର ଶ୍ରଦ୍ଧାଳୁ । ମହୋଦଧିରେ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ପାଇଁ ଲାଗିଛି ଲମ୍ବା ଧାଡ଼ି । ରାତ୍ର ଗୋଟାଏ ୪୫ ରେ ଦ୍ୱାର ଫିଟିବା ପରେ ଆରମ୍ଭ ହୋଇଥିଲା ଦୈନିକ ନୀତିକାନ୍ତି । ଏହାପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ମିଳିଥିଲା ସୁଯୋଗ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଜନ ଗହଳି ନିୟନ୍ତ୍ରଣ, ଭକ୍ତଙ୍କ ବିଶ୍ରାମ, ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ୧୩ ଜଣ ଅତିରିକ୍ତ ଏସପି, ୪୩ ଜଣ ଡିଏସପି, ୮୭ ଜଣ ଇନ୍ସପେକ୍ଟର, ୩୩୦ କନେଷ୍ଟବଳ, ହୋମଗାର୍ଡ, ଲାଇଫଗାର୍ଡ ଓ ଓଡ୍ରାଫ ଟିମ ସହ ୭୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ଭିତରେ ୧୫୨ ଟି ଓ ବାହାରେ ୧୯୨ ସିସିଟିଭି କ୍ୟାମେରାରେ ରଖାଯାଇଛି ନଜର । ସିଂହଦ୍ୱାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବା ସହ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରି ଭାବ ବିହ୍ବଳ ହୋଇଛି ଭକ୍ତ ।

ମହୋଦଧି କୂଳରେ ସୂର୍ଯ୍ୟୋଦୟ ଦର୍ଶନ ସହ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଭକ୍ତ ମାନେ ଆତ୍ମ ବିଭୋର ହୋଇଛନ୍ତି । ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ଼ ଦେଇ ଭକ୍ତମାନେ ପ୍ରବେଶ କରିବା ସହ କାଳିଆ ସାଆନ୍ତଙ୍କ ଆଶିଷ ଲାଭ କରି କୃତାର୍ଥ ଲାଭ କରିଛନ୍ତି । ଦୂର ଦୁରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଜଗା ଦର୍ଶନ କରି ଧନ୍ୟ ମନେ କରି ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି । ପ୍ରବଳ ଭିଡ଼ ମଧ୍ୟରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୁରୀବାସୀଙ୍କ ଦର୍ଶନ ଓ ମହାପ୍ରସାଦ ପାଇବା ସୁବିଧା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି ।

Latest Posts

Don't Miss