ସାରା ରାଜ୍ୟରେ ଓମସା ଡାକ୍ତରଙ୍କ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରହିଛି । ସକାଳ ୧୦ରୁ ୧୧ ଯାଏଁ ଏକ ଘଣ୍ଟା ପାଇଁ ସେମାନେ ଓପିଡି ବନ୍ଦ ବି ରଖୁଛନ୍ତି । ସାରା ରାଜ୍ୟରେ ଖାଲିପଡ଼ିଛି ଡାକ୍ତର ପଦବୀ ତୁରନ୍ତ ପୂରଣ, କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ, କ୍ୟାଡର ପୁନର୍ଗଠନ, ଦାନ୍ତ ଡାକ୍ତର ମାନଙ୍କୁ ତୁରନ୍ତ ପ୍ରଚଳିତ ଡିଏସିପି, ପିଜି ପ୍ରୋତ୍ସାହନ ରାଶି, ପିବିଆଇ, ସ୍ବଚ୍ଛ ବଦଳି ନୀତି, କେବିକେରେ ପାଞ୍ଚ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ଡାକ୍ତରମାନଙ୍କୁ ତୁରନ୍ତ ବଦଳି ପରି ଦାବିରେ ଓମସାର ପ୍ରତିବାଦ ଜାରି ରହିଛି । ହେଲେ ସମାଧାନର ବାଟ କଣ ବାହାରିବ, ସ୍ବାସ୍ଥ୍ୟ ମନ୍ତ୍ରୀ ବାରମ୍ବାର କମିଟି ଦ୍ବାରା ତର୍ଜମା କଥା କହି ଚାଲିଛନ୍ତି । ସେମାନଙ୍କ ଦାବିକୁ ତର୍ଜମା କରିବା ପାଇଁ ଏକ ସଚିବ ସ୍ତରୀୟ କମିଟି ଗଠନ କରାଯାଇଛି | ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି, ଏହି କମିଟିରେ ସ୍ବାସ୍ଥ୍ୟ ସଚିବ, ଆଇନ ବିଭାଗର ସଚିବ ଓ ଅର୍ଥ ବିଭାଗର ସଚିବ ସଦସ୍ୟ ଅଛନ୍ତି | କମିଟି ଡାକ୍ତର ସଂଘର ଦାବି ବିଷୟରେ ତର୍ଜମା କରି ରିପୋର୍ଟ ଦେବ |
ଗତ ଡିସେମ୍ବର ୨୪ ତାରିଖରୁ କମିଟି ଗଠନ ସରିଲାଣି । ହେଲେ ଏଯାଏଁ ଓମସାକୁ ନେଇ ବୈଠକ ବସିଲା ନାହିଁ । ଯାହା ଡାକ୍ତରଙ୍କ ଭିତରେ ଅସନ୍ତୋଷ ବଢାଇ ଦେଇଛି । ସରକାରଙ୍କ ସହ ଆଲୋଚନା ବି ବାରମ୍ବାର ଫେଲ ମାରୁଛି । ଗତ ବର୍ଷ ଓମସା ବୈଠକରେ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତରଙ୍କ ଦାବିକୁ ଯୁକ୍ତିଯୁକ୍ତର ଆଖ୍ୟା ଦେଇଥିଲେ । ହେଲେ ୧୮ ମାସ ପରେ ବି ତାହା ପୂରଣ ହୋଇ ନଥିବା ଅଭିଯୋଗ କରି ଓମସା ପ୍ରତିବାଦ ଜାରି ରଖିଛି ।
ବର୍ତ୍ତମାନ ଓମସା ଚରମ ନିଷ୍ପତ୍ତି ନେଇ ସାରିଲାଣି । ଜାନୁଆରୀ ୪ ଯାଏଁ ଡେଡଲାଇନ ଦେଇଛି ଓମସା । ବର୍ତ୍ତମାନ ସକାଳ ୧୦ ରୁ ୧୧ ଯାଏଁ ବନ୍ଦ ରହୁଛି ଓପିଡି । ଆସନ୍ତା ଜାନୁଆରୀ ୫ ତାରିଖରୁ ସକାଳ ୯ ରୁ ୧୧ ଯାଏଁ ଦୁଇ ଘଣ୍ଟା ବନ୍ଦ କରାଯିବ ଓପିଡି । ଦାବି ନ ଶୁଣିବା ଯାଏଁ ପ୍ରତି ସପ୍ତାହରେ ଏକ ଘଣ୍ଟା ଲେଖାଏଁ ଓପିଡି ବନ୍ଦ ସମୟସୀମା ବଢିବ । ଡାକ୍ତରମାନଙ୍କ ଠାରୁ ଇସ୍ତଫାପତ୍ର ବି ସଂଗ୍ରହ କରୁଛି ଓମସା । ଦାବି ପୂରଣ ନ ହେଲେ ଓମସା ପକ୍ଷରୁ ସରକାରୀ ଚାକିରୀ ଛାଡ଼ିବାର ଚେତାବନୀ ଦିଆଯାଇଛି ।

