spot_img

Latest Posts

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ କମି କମି ଯାଉଛି ଧାନ ସଂଗ୍ରହ

ଧାନ ସଂଗ୍ରହ କୋଲାପ୍ସ । ବିଜେପି ସରକାରରେ କମିଛି ଧାନ କିଣା । ମିଳୁନି ଟୋକନ, କମ ଦରରେ ଚାଷୀ ବିକୁଛି ଫସଲ । ଯୋଗଣ ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ବିରୋଧୀ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ କମି କମି ଯାଉଛି ଧାନ ସଂଗ୍ରହ। ଠପ୍ ହୋଇଗଲାଣି ଚାଷୀଙ୍କ ଠାରୁ ଧାନ କିଣା ବ୍ୟବସ୍ଥା। ବିଜେଡି ସରକାର ସମୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୩.୦୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା। କିନ୍ତୁ ବିଜେପି ସରକାରରେ ୨୦୨୪-୨୦୨୫ରେ ଏହା କମି ୧୦.୬୭ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଆଉ ୨୦୨୫-୨୬ ଆର୍ଥିକ ବର୍ଷରେ ଏଯାଏଁ ମାତ୍ର ୭.୧୨ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି।

ଡିସେମ୍ବର ୩୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ଓ୍ବେବସାଇଟର ତଥ୍ୟ ଅନୁସାରେ ଓଡ଼ିଶାରେ ସଂଗ୍ରହ ହୋଇଛି ମାତ୍ର ୮ ପ୍ରତିଶତ ଧାନ। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଓଡ଼ିଶା ଓ ପଡୋଶୀ ଛତିଶଗଡ଼ରେ ବିଜେପି ସରକାର ଚାଲିଥିଲେ ମଧ୍ୟ ଦୁଇ ସରକାରଙ୍କ ଧାନକିଣା ତଥ୍ୟ ଦେଇ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଛତିଶଗଡ଼ରେ ଏଯାଏ ୪୧ ପ୍ରତିଶତ ଧାନ ସଂଗ୍ରହ ହୋଇଥିବା ବେଳେ, ଓଡ଼ିଶାରେ କାହିଁକି ମାତ୍ର ୮ ପ୍ରତିଶତ ବୋଲି ପ୍ରଶ୍ନ କରିଛନ୍ତି ପ୍ରସନ୍ନ। ସରକାର ଚାଷୀଙ୍କ ଠାରୁ ଧାନ କିଣୁ ନଥିବାରୁ ବାଧ୍ୟ ହୋଇ କମ ଦରରେ ଧାନ ବିକ୍ରି କରୁଛି ଅନ୍ନଦାତା।

ଅନ୍ୟପଟେ ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ ରାଜ୍ୟବାସୀଙ୍କୁ ମିଛ ତଥ୍ୟ ଦେଉଛନ୍ତି ବୋଲି କହିଛି କଂଗ୍ରେସ। ଦୁଇଟି ଟ୍ରେନରେ ଆଳୁ ଆସୁଛି ବୋଲି ଯେମିତି ଯୋଗାଣ ମନ୍ତ୍ରୀ କହିଥିଲେ, ଠିକ ସେହିପରି ଭାବେ ଧାନକିଣା ବାବଦରେ ତଥ୍ୟ ଦେଉଛନ୍ତି। ଜବାବର ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏ ପର୍ଯ୍ୟନ୍ତ ୧୦ ଲକ୍ଷ ୫୦ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି। ୨ ଲକ୍ଷ ୩୦ ହଜାର ଚାଷୀ ଧାନ ବିକିଛନ୍ତି। ୧୮ ଜିଲ୍ଲାରେ ଚାଲିଛି ପ୍ରକ୍ରିୟା। ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଧାନ କିଣା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନ ଉଠିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ହେଲେ ଧାନ କିଣା ଯେଭଳି ମନ୍ଥର ଗତିରେ ଚାଲିଛି, ତାକୁ ନେଇ ବର୍ଷ ଆରମ୍ଭରୁ ବଢ଼ିଲାଣି ଚାଷୀ ଅସନ୍ତୋଷ।

Latest Posts

Don't Miss