spot_img

Latest Posts

ରାସ୍ତାରେ ଇରାନ ବାସିନ୍ଦା, ଆୟାତୋଲ୍ଲା ଖୋମେନେଇ ବିରୋଧରେ ଉଗ୍ର ହେଉଛି ବିଦ୍ରୋହ

ରାସ୍ତାରେ ଇରାନ ବାସିନ୍ଦା, ଆୟାତୋଲ୍ଲା ଖୋମେନେଇ ବିରୋଧରେ ଉଗ୍ର ହେଉଛି ବିଦ୍ରୋହ

ନନ୍ଦିଘୋଷ ବ୍ୟୁରୋ: ଇରାନରେ ବଢ଼ି ଚାଲିଛି ଆୟାତୋଲ୍ଲା ଖୋମେନେଇ ବିରୋଧୀ ସଂଗ୍ରାମ I ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଦେଶବାସୀ I ସେପଟେ ଆନ୍ଦୋଳନ ନିଆଁରେ ଘିଅ ଢାଳିଛନ୍ତି ନିର୍ବାସନରେ ଥିବା ପ୍ରିନ୍ସ ରେଜା ପହଲବି I ଦେଶର ୨୨ ପ୍ରଜାତନ୍ତ୍ରର ଶତାଧିକ ସହରରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି I ଏପରିକି ଶିହାବହୁଳ ସହର କୋମରେ ବି ଆନ୍ଦୋଳନ ତୀବ୍ର ହୋଇଛି I ବର୍ତ୍ତମାନ ସୁଦ୍ଧା ପୋଲିସ ଗୁଳିରେ ୮ ଜଣ ପ୍ରାଣ ହରାଇଥିବାବେଳେ ଦିନକୁ ଦିନ ଆନ୍ଦୋଳନ ବିଭିନ୍ନ ସହରକୁ ବ୍ୟାପିବାରେ ଲାଗିଛି I ଆନ୍ଦୋଳନକାରୀଙ୍କ ଉପରେ ବଳ ପ୍ରୟୋଗ ନ କରିବା ଲାଗି ଇରାନ ସରକାରଙ୍କୁ ଚେତାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ I

ଇରାନର ବହୁ ନେତା ଦେଶ ଛାଡ଼ି ବ୍ରିଟେନ ଚାଲିଯିବାକୁ ଯୋଜନା କରୁଥିବା ସୂଚନା ମିଳିଛି I ଶତାଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଛି । ତେହେରାନ, ମସହାଦ, ଜାହେଦାନ, କାଜଭିନ, ହାମଦାନ ସମେତ ବହୁ ସହରରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି I ଦେଶରେ ମୌଳିକ ଅଧିକାରକୁ କ୍ଷୁଣ୍ଣ କରାଯାଇଛି ବୋଲି ଅଭିଯୋଗ କରିଛି ଆମେରିକା I ମାନବାଧିକାରକୁ ଗୁରୁତ୍ବ ଦେବା ଲାଗି ବହୁ ମାନବିକ ଅଧିକାର ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି I

ଶାନ୍ତପୂର୍ଣ୍ଣ ଭାବେ କ୍ଷମତାର ହସ୍ତାନ୍ତର କରିବାକୁ ଆହ୍ବାନ ଦେଇଛନ୍ତି ପ୍ରସିଦ୍ଧ ଫିଲ୍ମ ନିର୍ମାତା ଜାଫର ପାନାହି ଓ ନୋବେଲ ଶାନ୍ତି ବିଜେତା ନର୍ଗେସ ମହମ୍ମଦି I ଦେଶ ଦେବାଳିଆ ହେବା ସହ ଅର୍ଥନୈତିକ ପ୍ରଗତି ଠପ୍ ହୋଇଯାଇଛି I ଦେଶରେ ମୁଦ୍ରାସ୍ଫୀତି ଚରମ ସୀମାରେ ପହଞ୍ଚିଥିବାବେଳେ ଦାରିଦ୍ର୍ୟ, ବେକାରୀ, ଦୁର୍ନୀତି ବ୍ୟାପକ ହୋଇଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ କରାଯାଉଛି I ଅତ୍ୟାଚାରର ଅନ୍ତ ଘଟିବା ସହ ଦେଶରେ ନୂଆ ଶାସନ ପ୍ରତିଷ୍ଠା କରିବାକୁ ଆହ୍ବାନ ଜଣାଇଛନ୍ତି ପହଲବି I ଆନ୍ଦୋଳନକୁ ସୁପରିଚାଳନା କରିବା ଲାଗି ସେ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି I

ସେପଟେ ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଇଛି କୁର୍ଦ୍ଦିସ ପାର୍ଟି I ତେଣେ ଟ୍ରମ୍ପ ଜାତିସଂଘ ନିୟମକୁ ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଇରାନ ପ୍ରସିକ୍ୟୁଟର ଜେନେରାଲ ମହମ୍ମଦ ମୋବାହେଦି ଆଜାଦ I ନିଜର ନୀତିକୁ ସମୀକ୍ଷା କରିବା ସହ ଅର୍ଥନୈତିକ ସମସ୍ୟାର ସମାଧାନ ଲାଗି ଆଲୋଚନାକୁ ସରକାର ଖୋଲା ରଖିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ମାସୁଦ ପେଜସକିଆନ I ତେଣେ ଇରାନ ଉପରେ ଯଦି ଆକ୍ରମଣ କରାଯାଏ ତେବେ ଇସ୍ରାଏଲ ଓ ଆମେରିକାର ସାମରିକ ଘାଟିଗୁଡ଼ିକ ଉପରେ ଇରାନ ହମଲା କରିପାରେ ବୋଲି ଚେତାବନୀ ଦେଇଛନ୍ତି ଇରାନ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା IRGCର ପୂର୍ବତନ ମୁଖ୍ୟ ମହସିନ ରେଜେଇ I

Latest Posts

Don't Miss