KBC ସେଟରୁ ଦର୍ଶକଙ୍କୁ ଭାବବିହ୍ବଳ ବିଦାୟ ଦେଲେ ବିଗ ବି’
ନନ୍ଦିଘୋଷ ବ୍ୟୁରୋ: ସୋନି ଟେଲିଭିଜନର ସବୁଠୁ ବଡ ଲୋକପ୍ରିୟ ପ୍ଲାଟଫର୍ମ ‘କୌନ ବନେଗା କରୋଡପତି’ ବା କେବିସିର ସିଜିନ ୧୭ ଶେଷ ହୋଇଛି । ଶୋ’ ସରିଥିବା ବେଳେ ବିଦାୟ ନେଇଛନ୍ତି ବିଗ ବି ଅମିତାଭ ବଚ୍ଚନ । କିନ୍ତୁ ଏଥରର ବିଦାୟ ସାଧାରଣ ନଥିଲା । କେବିସି ସିଜିନ ୧୭ର ଶେଷ ଏପିସୋଡ୍ରେ ଦର୍ଶକମାନଙ୍କୁ ବିଦାୟ ଦେବା ସମୟରେ ଭାବବିହ୍ବଳ ହୋଇଯାଇଥିଲେ ବିଗ ବି ।
ଶୋ’ର ଶେଷ ଦିନରେ, ଯେତେବେଳେ ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କର ବିଦାୟ ଭାଷଣ ଆରମ୍ଭ କରିଥିଲେ, ତାଙ୍କର ଧୀର କଣ୍ଠସ୍ୱର ଓ ଛଳଛଳ ଆଖି ଲକ୍ଷ ଲକ୍ଷ ଦର୍ଶକଙ୍କୁ ଭାବୁକ କରି ଦେଇଥିଲା । ସେ କହିଥିଲେ, ‘ଦେବୀଓ ଓ ସଦଜନୋ, କେବିସିର ଏହି ସିଜିନ ଶେଷ ହୋଇଗଲା। ଗୋଟିଏ ପରେ ଗୋଟିଏ, ପ୍ରତିଯୋଗୀଙ୍କ ଚେୟାର ଖାଲି ହୋଇଯିବ । ଷ୍ଟୁଡିଓ ସେଟ୍ରୁ ଦର୍ଶକ ସିଟ ଛାଡି ଦେବେ । ଆଜି ଯେଉଁ ଆଲୋକ ଜଳୁଛି ତାହା କାଲି ଅନ୍ୟ କାହା ପାଇଁ ଜଳିବ । କରତାଳି ମଧ୍ୟ ଅନ୍ୟ କାହା ପାଇଁ ବାଜିବ ।’
ଏହି ଅବସରରେ ଭାବ ପ୍ରବଣତାର ସହ ସେ କହିଥିଲେ, ମଞ୍ଚରେ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତର ମଜା ଉଠାଇଛି । ବିଦାୟ ବେଳେ ଶବ୍ଦ ପ୍ରାୟତଃ କମ୍ ପଡ଼ିଯାଏ । ଯେତେବେଳେ ଶବ୍ଦ କମ୍ ପଡ଼ିଯାଏ, ସେତେବେଳେ ସଙ୍ଗୀତର ଆଶ୍ରୟ ନେବା ଉଚିତ । କାରଣ ସଙ୍ଗୀତ ହିଁ ଏକ ମାଧ୍ୟମ ଯାହା ସିଧାସଳଖ ହୃଦୟକୁ ଛୁଇଁଥାଏ ।
ଆଗକୁ ସେ କହିଥିଲେ, ମୋ ଜୀବନର ଏକ ତୃତୀୟାଂଶରୁ ଅଧିକ ସମୟ ଆପଣମାନଙ୍କ ସହିତ ବିତାଇବା ମୋ ପାଇଁ ସମ୍ମାନ ବିଷୟ । ଅମିତାଭଙ୍କ କଥା ଶୁଣି କେବଳ ଷ୍ଟୁଡିଓରେ ଉପସ୍ଥିତ ଥିବା ଲୋକ ନୁହଁନ୍ତି ଟିଭି ସାମ୍ନାରେ ବସିଥିବା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଆଖିରେ ଲୁହ ଆଓିଯାଇଥିଲା ।
ଏହାପରେ ସ୍କ୍ରିନରେ ଏକ ସ୍ୱତନ୍ତ୍ର ଭିଡିଓ ପ୍ରଦର୍ଶିତ ହୋଇଥିଲା । ଯେଉଁଥିରେ ପ୍ରଥମ ସିଜିନରୁ ଆରମ୍ଭ କରି ବର୍ତ୍ତମାନ ସିଜିନ ପର୍ଯ୍ୟନ୍ତ ସ୍ମରଣୀୟ ମୁହୂର୍ତ୍ତ, ପ୍ରତିଯୋଗୀଙ୍କ ସଂଘର୍ଷ ଓ ଚଳିତ ସିଜିନର କୋଟିପତି ବିଜେତାଙ୍କ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଏହି ଭିଡିଓ ଦେଖି ଅମିତାଭ ବଚ୍ଚନ ନିଜେ ନିଜ ଲୁହ ରୋକିପାରି ନଥିଲେ । ଭିଡିଓ ଶେଷ ହେବା ମାତ୍ରେ, ଷ୍ଟୁଡିଓରେ ଉପସ୍ଥିତ ସମସ୍ତ ଦର୍ଶକ ଠିଆ ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ । ଆଉ ହୃଦୟର ସହ, ବିଗ୍ ବି ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ହସି ହସି ବିଦାୟ ନେଇଥିଲେ ।
ଗତ ୨୫ ବର୍ଷ ଧରି ଚାଲିଥିବା ଏହି ଶୋ’ ପୁଣି ଥରେ ପ୍ରମାଣ କରିଛି ଯେ କେବିସି କେବଳ ଏକ ଶୋ’ ନୁହେଁ । ଏହା ଭାରତ ଓ ଭାରତୀୟଙ୍କ ଭାବନାର ଏକ ଅବିଚ୍ଛେଦ ଅଂଶ ।

