ନନ୍ଦିଘୋଷ ବ୍ୟୁରୋ : ତାମିଲନାଡୁ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଡିଏମକେ ମେଣ୍ଟକୁ ନେଇ ପ୍ରକାଶ ପାଇଛି ସସପେନ୍ସ l ଆସନ ବଣ୍ଟନକୁ ନେଇ ଡିଏମକେ ଓ କଂଗ୍ରେସ ମଧ୍ୟରେ ମତପାର୍ଥକ୍ୟ l ନିର୍ବାଚନ ଲାଗି କଂଗ୍ରେସ ୪୦ ଆସନ ଦାବି କରୁଥିବାବେଳେ ଏତେ ସଂଖ୍ୟକ ଆସନ ଦେବା ଲାଗି ଅରାଜି ଡିଏମକେ l ତେବେ କଂଗ୍ରେସକୁ ୩୨ ଆସନ ଦେବା ଲାଗି ଡିଏମକେ ପ୍ରସ୍ତାବ ଦେବା ପରେ ଅସୁଖୀ ରହିଛି କଂଗ୍ରେସ l ସେପଟେ ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବିଜୟଙ୍କ ଟିଭିକେ ସହ ମେଣ୍ଟ କରିବାକୁ ତାମିଲନାଡୁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି l କଂଗ୍ରେସ ସାଂସଦ ମାଣିକରାମ ଟାଗୋର କହିଛନ୍ତି କଂଗ୍ରେସ କେବଳ ମେଣ୍ଟ ଚାହେଁ ନାହିଁ l ଯଦି ମେଣ୍ଟ ସରକାରକୁ ଆସେ ତେବେ ସରକାରରେ ଅଂଶଗ୍ରହଣ କରିବାକୁ ଚାହୁଁଛି l ତେଣେ ଟିଭିକେ ପକ୍ଷରୁ କୁହାଯାଇଛି କଂଗ୍ରେସ ହେଉଛି ଟିଭିକେର ପ୍ରାକୃତିକ ସହଭାଗୀ ଦଳ l ଟିଭିକେ ମୁଖପାତ୍ର ଫେଲିକ୍ସ ଗେରାଲଡ କହିଛନ୍ତି- ବିଜୟ ଓ ରାହୁଲ ହେଉଛନ୍ତି ବନ୍ଧୁ ଏବଂ କଂଗ୍ରେସ ସହ ମେଣ୍ଟ ସମ୍ଭାବନା ବହୁ ଅଧିକ ରହିଛି l ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ସରକାରୀ ଦଳର ସଂଖ୍ୟା ରହିଛି ୧୫୮ l ଡିଏମକେର ୧୩୩, କଂଗ୍ରେସର ୧୭, ଭିସିକେର ୪, ସିପିଏମର ୨ ଓ ସିପିଆଇର ୨ ବିଧାୟକ ଅଛନ୍ତି l ସେପଟେ ଏନଡିଏର ସଦସ୍ୟ ସଂଖ୍ୟା ରହିଛି ୬୪ l ସେଥିରେ AIADMKର ୬୦ ସଦସ୍ୟ ଥିବାବେଳେ ବିଜେପିର ଅଛନ୍ତି ମାତ୍ର ୪ଜଣ l

