ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କହିଛନ୍ତି, ରାଜ୍ୟରେ ସମ୍ପୂର୍ଣ ଭୁଶୁଡ଼ି ପଡ଼ିଛି ଧାନ ସଂଗ୍ରହ ବ୍ୟବସ୍ଥା। ସରକାରଙ୍କ ଦ୍ବାରା ଚାଷୀ ପ୍ରତାରିତ, ଅସହାୟ ଓ ହତାଶ। ଅସହ୍ୟ ଅଣ୍ଡା କାକର, ଶୀତରେ ଚାଷୀମାନେ ମଣ୍ଡିରେ ନିଜ ଅମଳ ଧାନକୁ ଜଗି ବସିଛନ୍ତି। ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି ଚାଷୀ। ସରକାର ଚାଷୀଙ୍କ ଧାନ କେବେ ଉଠାଇବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଚାଷୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତାକୁ ଆସିଥିଲା। ହେଲେ ସରକାର ଗଢ଼ିବା ପରେ ପ୍ରତିଶ୍ରୁତି ସବୁ କୁଆଡ଼େ ଗଲା। ଧାନ କିଣାରେ ବୋନସ ଘୋଷଣା କରି ଚାଷୀଙ୍କୁ ଦିବାସ୍ବପ୍ନ ଦେଖାଇଥିବା ସରକାରରେ ଆରମ୍ଭରୁ ଟୋକାନଠୁ ନେଇ ମଣ୍ଡି ଅବ୍ୟବସ୍ଥା ସହ ଧାନ ସଂଗ୍ରହ ପର୍ଯ୍ୟନ୍ତ ସବୁଠି ଚାଷୀ ହତାଶ ହୋଇଛନ୍ତି। ଚାଷୀଙ୍କୁ ସମ୍ମାନର ନାରା ଦେଇଥିବା ବିଜେପି ସରକାରର ସମସ୍ତ ଘୋଷଣା ମିଛ ପ୍ରତିଶ୍ରୁତିରେ ପରିଣତ ହୋଇଛି। ସମ୍ମାନ ବଦଳରେ ଏ ସରକାରରେ ଚାଷୀ ସବୁଠୁ ଅସମ୍ମାନିତ ଓ ପ୍ରତାରିତ। ଯେତେବେଳେ ନିଜ ଅମଳ ଧାନ ବିକ୍ରି କରି ନ ପାରି ଚାଷୀ ଆନ୍ଦୋଳନ କରୁଛି ସେତେବେଳେ ଏ ସରକାର ତାଙ୍କୁ ନୌଟଙ୍କି ବୋଲି କହି ତାତ୍ସ୍ୟଲ୍ୟ କରୁଛି। ଏହା କ’ଣ ଡବଲ୍ ଇଞ୍ଜିନ୍ ସରକାରର ଚାଷୀଙ୍କୁ ସମ୍ମାନ ?

