ବଢ଼ିବାରେ ଲାଗିଛି ଇରାନ ହିଂସା। ଆୟାତୋଲ୍ଲା ଖାମେନେଇ ବିରୋଧୀ ହିଂସାରେ ପ୍ରାଣ ହରାଇଲେଣି ୨୪ଶହରୁ ଅଧିକ ଲୋକ। ସେପଟେ ଯଦି ଆନ୍ଦୋଳନକାରୀଙ୍କୁ ହତ୍ୟା କରାଯାଏ ତେବେ ଆମେରିକା କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ତେଣେ ଟ୍ରମ୍ପ ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ହିଁ ମୁଖ୍ୟ ହତ୍ୟାକାରୀ ବୋଲି କହିଛି ଇରାନ। ସରକାରୀ ପ୍ରତିଷ୍ଠାନଗୁଡିକୁ ଅକ୍ତିଆର କରିବା ଲାଗି ଆନ୍ଦୋଳନକାରୀଙ୍କୁ ଟ୍ରମ୍ପ ଆହ୍ବାନ ଦେବା ପରେ ଉତକ୍ଷିପ୍ତ ହୋଇଛି ଇରାନ। ଇରାନର ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲ ମହାସଚିବ ଅଲି ଲାରିଜାନୀ ଏନେଇ ଆମେରିକା ଓ ଇସ୍ରାଏଳକୁ ସମାଲୋଚନା କରିଛନ୍ତି। ଇସ୍ରାଏଲ ଓ ଆମେରିକା ଯୋଗୁ ଇରାନରେ ଅସ୍ଥିରତା ସୃଷ୍ଟି ହେଉଛି ବୋଲି କହିଛନ୍ତି ଲାରିଜାନୀ। ସେହିପରି ଇରାନର ଜାତିସଂଘ ରାଷ୍ଟ୍ରଦୂତ ଅମିର ସୟିଦ ଇରାଭାନୀ ବି ଟ୍ରମ୍ପଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ସେପଟେ ଇରାନର ଆଭ୍ୟନ୍ତରୀଣ ବ୍ୟାପାରରେ ଅଯଥା ବାହ୍ୟ ହସ୍ତକ୍ଷେପ ହେଉଛି ବୋଲି କହିଛି ରୁଷ। ଏକ ଦେଶ ବିରୋଧରେ ସାମିରକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଧମକ ଅଗ୍ରହଣୀୟ ବୋଲି କହିଛି ରୁଷ। ବର୍ତ୍ତମାନ ସୁଦ୍ଧା ଇରାନରେ ୧୮ ହଜାର ୧୩୭ ଲୋକଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

