ନନ୍ଦିଘୋଷ ବ୍ୟୁରୋ : ଆଜି ଇରାନ ଉପରେ ହମଲା କରିପାରେ ଆମେରିକା। ମଧ୍ୟପ୍ରାଚ୍ୟର ବହୁ ସାମରିକ ଘାଟିରୁ ସୈନ୍ୟ ଓ କର୍ମଚାରୀଙ୍କୁ ହଟାଇବା ଆରମ୍ଭ କଲା ଆମେରିକା। ଜରୁରୀକାଳୀନ ଭିତ୍ତିରେ ଏହି ପ୍ରତ୍ୟାହାରକୁ ନେଇ ବଢ଼ିଲା ସସପେନ୍ସ। ଖୁବ୍ ଶୀଘ୍ର ଇରାନ ଉପରେ ହମଲା ହେବାକୁ ଯାଉଥିବାରୁ ଆମେରିକା ଏହି ପଦକ୍ଷେପ ନେଇଥିବା ଚର୍ଚ୍ଚା ହୋଇଛି। ମଧ୍ୟପ୍ରାଚ୍ୟର ସବୁଠାରୁ ବୃହତ ସାମରିକ ଘାଟି କୁହାଯାଉଥିବା କତାରସ୍ଥିତ ଅଲ ଉଦେଦ ଏୟାରବେସରୁ ଆମେରିକ ବହୁ ସୈନ୍ୟ ଓ କର୍ମଚାରୀଙ୍କୁ ପ୍ରତ୍ୟାହାର କରିଛି। ସେଠାରେ ପ୍ରାୟ ୧୦ ହଜାର ଆମେରିକୀୟ ସୈନ୍ୟ ଓ କର୍ମଚାରୀ ରହିଛନ୍ତି। ସେହିପରି କୁଏତସ୍ଥିତ ଆମେରିକୀ ଦୂତାବାସ ପକ୍ଷରୁ ଉପସାଗରୀୟ ଆରବ ରାଷ୍ଟ୍ରଗୁଡିକୁ ଯିବା ଲାଗି ନିଜର କର୍ମଚାରୀଙ୍କୁ ପରାମର୍ଶ ଦେଇଛି। ଇରାନରେ ଆୟାତୋଲ୍ଲା ଖାମେନେଇ ବିରୋଧୀ ସଂଗ୍ରାମ ତୀବ୍ରତର ହେଉଥିବାବେଳେ ଇରାନ ଉପରେ କାର୍ଯ୍ଯାନୁଷ୍ଠାନ ନେବାକୁ ବାରମ୍ବାର ଧମକ ଦେଉଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ସେପଟେ ଇରାନ ନିଜର ଏୟାରସ୍ପେସକୁ ସାମୟିକ ଭାବେ ବନ୍ଦ କରିବା ସହ ନୋଟିସ ଟୁ ଏୟାରମେନ ବା ନୋଟାମ ଜାରି କରିଛି। ତେଣେ ଆସନ୍ତା ୨୪ ଘଣ୍ଟା ଭିତରେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ଇରାନରେ ମୃତ୍ୟୁସଂଖ୍ୟା ୩ ହଜାରରୁ ଅଧିକ ହୋଇଥିବା କୁହାଯାଇଛି।

