ଅନଲାଇନରେ ରସିକ ନାଗରଙ୍କ ବଢୁଛି ରାସଲୀଳା । ଜୀବନସାଥି ଖୋଜିବା ଆଳରେ ଜୀବନ ସହ ଖେଳ । ଦାଣ୍ଡର ଭିକାରୀ ବି ନିଜକୁ କହୁଛି କୋଟିପତି । ଗିରଫ ପରେ ଖୋଲୁଛି ରୋମିଓଙ୍କ ଗୁମର । କେତେବେଳେ ଡକ୍ଟର ରଞ୍ଜୀବ ପ୍ରଧାନ ତ ଆଉ କେତେବେଳେ ଡକ୍ଟର ପ୍ରକାଶ ପ୍ରଧାନ । ଭିନ୍ନ ଭିନ୍ନ ପରିଚୟ ଦେଇ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଠକୁଥିଲା ଠକ ରଞ୍ଜୀବ ପ୍ରଧାନ । ୨୦୨୧ ମସିହାରେ ମାଟ୍ରିମୋନି ସାଇଟରେ ନିଜକୁ ଡାକ୍ତର ପରିଚୟ ଦେଇ ନିଜ ସାନଭାଇ ବ୍ୟାଙ୍କ ମ୍ୟାନେଜର ଥିବା କହିଥିଲା ଏହି ଠକ। ଏପରିକି ଭାଇ ପାଇଁ ବାହାଘର ଠିକ କରିବା ଆଳରେ ଟଙ୍କା ଲୁଟିବା ଆରମ୍ଭ କରିଥିଲା । ପେଟ୍ରୋଲ ପମ୍ପ ନିଲାମ, କୋଭିଡ ସମୟରେ ବିଭିନ୍ନ ପଲିସି କରିବା ଆଳରେ ଠକି ନେଇଯାଇଥିଲା ଏହି ଠକ ଜଣକ । କିନ୍ତୁ ଟଙ୍କା ନେବା ପରେ ବିବାହ ତାରିଖ ଘୁଞ୍ଚାଇ ଚାଲିଥିଲା । ଏ ନେଇ ଯାଞ୍ଚ ପରେ ବ୍ୟକ୍ତି ଜଣଙ୍କ କୌଣସି ଡାକ୍ତର ନଥିବା ଓ ତାଙ୍କ ଭାଇ ମଧ୍ୟ କୌଣସି ବ୍ୟାଙ୍କରେ କାମ କରୁନଥିବା ଜାଣିବାକୁ ମିଳିଥିଲା । ପାହାଳ ଥାନାରେ ଅଭିଯୋଗ ପରେ କରିତକର୍ମା ଜଣଙ୍କୁ କୋର୍ଟଚାଲାଣ କରିଛି ପୋଲିସ ।
ଗତବର୍ଷ ଫେବୃଆରୀ ୫ ତାରିଖରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଦିପ୍ତିରାଜ ପଟ୍ଟନାୟକଙ୍କୁ ଗିରଫ କରିଥିଲା । ଠିକ ସମାନ ଢଙ୍ଗରେ ଦୁବାଇରେ ରହି ଡିଭର୍ସି ଓ ଚାକିରିଆ ଯୁବତୀଙ୍କୁ ଫସାଇବା ଅଭିଯୋଗରେ ଯାଜପୁର ଜିଲ୍ଲା ବିଂଝାରପୁର ର ସତ୍ୟଜିତ ସାମଲକୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ । ପୂର୍ବରୁ ନିଜକୁ ଯୁବତୀ କହି ସୋସିଆଲ ମିଡିଆରେ ଫଟୋ ଛାଡି ଏକାଧିକ ଯୁବକଙ୍କୁ ଲକ୍ଷାଧିକ ଟଙ୍କା ଚୂନ ଲଗାଇବା ଅଭିଯୋଗରେ ପୁରୀ ସଦର ଥାନା ଭାତକୁଡିର ନୃସିଂହ ବିଶ୍ୱାଳଙ୍କୁ ଗିରଫ କରିଥିଲା ଭୁବନେଶ୍ୱର ସାଇବର ଥାନା । ମାଟ୍ରିମୋନିଆଲ ସାଇଟ ବ୍ୟବହାର କରୁଥିବା ବେଳେ ଫେକ ୱେବସାଇଟ୍ ରୁ ଦୂରେଇ ରୁହନ୍ତୁ । ଅନଲାଇନରେ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ଅଫଲାଇନରେ ପ୍ରାର୍ଥୀର ନାଁ, ଗାଁ, ଠିକଣା, ରୋଜଗାର ଆଦି ଯାଞ୍ଚ କରିଦେବାର ଆବଶ୍ୟକତା ଥିବା କହିଛନ୍ତି ପୋଲିସ କମିଶନର। କେବଳ ପୋଲିସ କିମ୍ବା ମାଟ୍ରିମୋନି ସାଇଟକୁ ଦାୟୀ ନକରି ନିଜେ ଏ ଦିଗରେ ସଚେତନ ହେବାର ସମୟ ଆସିଛି । ନଚେତ ଆପଣଙ୍କ ସହ ମଧ୍ୟ ଘଟିପାରେ ଏଭଳି ଘଟଣା ।

