ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା, ଜାଣିଶୁଣି ଚଢ଼ାଇ ଦେଲେ ଗାଡି
ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ଥମିବାର ନାଁ ନେଉନି । ରାଜବାଡି ଜିଲ୍ଲାର ସଦର ଉପଜିଲ୍ଲାରେ ଜଣେ ହିନ୍ଦୁ ଯୁବକଙ୍କୁ ଜାଣିଶୁଣି ଗାଡି ଚଢ଼ାଇ ହତ୍ୟା କରାଯାଇଛି । ଶୁକ୍ରବାର ଘଟଣା ଘଟିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ମୃତକ ଜଣଙ୍କ ହେଲେ ୩୦ ବର୍ଷିୟ ରିପନ ଶାହା । ରାଜବାଡିର ଗୋଲାନ୍ଦା ମୋଡ ନିକଟସ୍ଥ କରିମ ଫିଲିଂ ଷ୍ଟେସନରେ ରିପନ କାମ କରୁଥିଲେ । କୁହାଯାଉଛି, ଜଣେ ଗାଡି ଚାଳକ ପେଟ୍ରୋଲ ପମ୍ପରେ ତେଲ ଭରିବା ପରେ ଟଙ୍କା ଦେବାକୁ ମନା କରି ପଳାଇ ଯିବାକୁ ଚେଷ୍ଟା କରିଥିଲା । ରିପନ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଗାଡି ଚାଳକ ଜଣଙ୍କ ଜାଣିଶୁଣି ଗାଡି ରିପନଙ୍କ ଉପରେ ଚଢ଼ାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଗାଡି ଚାଳକ ଓ ମାଲିକ ଗିରଫ
ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରାଯିବା ସହ ମାଲିକ ଅବୁଲ ହାଶେମଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ମିଳିଥିବା ସୂଚନା ଅନୁସାରେ ହାଶେମ ବାଂଲାଦେଶ ନେଶନାଲିଷ୍ଟି ପାର୍ଟି (ବିଏନପି)ର ରାଜବାଡି ଜିଲ୍ଲାର ପୂର୍ବ କୋଷାଧ୍ୟକ୍ଷ । ସେହିପରି ଗାଡି ଚାଳକ କମାଲ ହୁସେନକୁ ପାରଲିସ ବାନିଭାନ ନିପାରା ଗାଁରୁ ଗିରଫ କରିଛି ।
ରାଜବାଡି ସଦର ପୋଲିସ ଷ୍ଟେସନ ପ୍ରଭାରୀ ଅଧିକାରୀ ଖୋଣ୍ଡକର ଜିୟାଉର ରହମାନ କହିଛନ୍ତି, ଏହା ଦୁର୍ଘଟଣା ନୁହେଁ । ଏହା ସ୍ପଷ୍ଟ ଭାବେ ହତ୍ୟା ଘଟଣା । ସେ କହିଛନ୍ତି, ମୃତକ ଗାଡି ଆଗରେ ଛିଡ଼ା ହୋଇଥିଲେ । ଅଭିଯୁକ୍ତ ତେଲ ଭରିବା ପରେ ଟଙ୍କା ଦେବାକୁ ମନା କରିବା ସହ ରିପନଙ୍କ ଉପରେ ଗାଡି ଚଢ଼ାଇ ଫେରାର ହୋଇଗଲା । ଏହାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ସେ କହିଛନ୍ତି ।
ହିନ୍ଦୁଙ୍କ ଉପରେ ଅତ୍ୟାଚାର
ଏହା ପୂର୍ବରୁ ମଧ୍ୟ ବାଂଲାଦେଶରେ ହିନ୍ଦୁ ସମୁଦାୟଙ୍କ ଉପରେ ହିଂସା ଦେଖିବାକୁ ମିଳିଛି । କିଛିଦିନ ପୂର୍ବେ ଫେନି ଜିଲ୍ଲାରେ ଦାଗନଭୁଇଆଁରେ ହିନ୍ଦୁ ଯୁବକ ସମୀର ଦାସଙ୍କୁ ଆକ୍ରମଣ କରି ହତ୍ୟା କରାଯାଇଥିଲା ।
ଗତ ୯ ତାରିଖରେ ଭାରତ ସରକାର ହିନ୍ଦୁ ଏବଂ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରିଥିଲା । ସ୍ଥିତି ଉପରେ ନଜର ରଖାଯାଇଛି । ଆଶା କରୁଛୁ ବାଂଲାଦେଶ ସରକାର ଏହି ସାମ୍ପ୍ରଦାୟିକ ହିଂସାକୁ ରୋକିବାକୁ କଠୋର ପଦକ୍ଷେପ ନେବେ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

