ରେକର୍ଡ଼ ଛୁଇଁଛି ସୁନା ଓ ରୁପା ଦର। ଆଜି ଦିନ ୧୧ଟାଦ ବେଳକୁ ୨୪ କ୍ୟାରେଟ ସୁନା ଦର ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ଚୁଇଁଛି। ସେହିପରି ରୁପା କିଲୋ ୩ ଲକ୍ଷ ୫ ହଜାର ଟଙ୍କାକୁ ବଢ଼ିଛି। ଗତକାଲି ୨୪ କ୍ୟାରେଟ ସୁନା ଦର ଥିଲା ୧ ଲକ୍ଷ ୪୬ ହଜାର ଟଙ୍କା। ଆଜି ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ବଢ଼ି ହୋଇଛି ୧ ଲକ୍ଷ ୪୮ ହଜାର ୮୫୦ ଟଙ୍କା। ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୩୧ ହଜାର ୮୦୦ ଟଙ୍କାରୁ ବଢ଼ି ହୋଇଛି ୧ ଲକ୍ଷ ୩୩ ହଜାର ୫୫୦ ଟଙ୍କା।
ସେହିପରି ଗତକାଲି ରୁପା କିଲୋ ଥିଲା ୨ ଲକ୍ଷ ୯୫ ହଜାର ଟଙ୍କା। ଆଜି ଅନ୍ତରାଷ୍ଟ୍ରୀୟ ବଜାରରେ କାରବାର ଆରମ୍ଭ ହେବା ପରେ ରୁପା କିଲୋ ପିଛା ୧୦ ହଜାର ଟଙ୍କା ବଢ଼ି ହୋଇଛି ୩ ଲକ୍ଷ ୫ ହଜାର ଟଙ୍କା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଜ ଟ୍ରମ୍ପଙ୍କ ବାଣିଜ୍ୟ ଟାରିଫ ଯୁଦ୍ଧ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିଛି। ସାରା ବିଶ୍ବରେ ଲାଗି ରହିଛି ରାଜନୀତି ଅସ୍ଥିରତା। ଗୋଟିଏ ପଟେ ଇରାନ ଓ ଆମେରିକା ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିବାବେଳେ ଗ୍ରିନଲ୍ୟାଣ୍ଡ କବଜା କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆନୁଷ୍ଠାନିକ ଘୋଷଣା ଏବେ ମଧ୍ୟପ୍ରାନ୍ତରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି। ଏହାଯୋଗୁ ଅନ୍ତରାଷ୍ଟ୍ରୀୟ ଅଂଶଧନ ବଜାର କାରବାର ବହୁ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି। ଯାହାଯୋଗୁ ସୁନା ଓ ରୁପାରେ ପୁଞ୍ଜି ବିନିଯୋଗ କରିବାକୁ ନିବେଶକାରୀଙ୍କ ଭିତରେ ଚାହିଦା ବୃଦ୍ଧି ପାଉଛି।
ଖାଲି ସେତିକି ନୁହେଁ, ମଧ୍ୟପ୍ରାଚ୍ୟ ଦେଶରେ ଅସ୍ଥିରତା ସ୍ଥିତି ଲାଗି ରହିବାରୁ ସୁନା ଓ ରୁପା ପରି ମୂଲ୍ୟବାନ ଧାତବ ପରିବହନ ମଧ୍ୟ ପ୍ରଭାବିତେ ହୋଇଛି। ଫଳରେ ଚାହିଦା ତୁଳନାରେ ଷ୍ଟକ କମ ଆସୁଛି। ଚୀନ, ଆମେରିକା, ଜାପାନର କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସୁନା କିଣି ଷ୍ଟକ ରଖିଚାଲିଛନ୍ତି। ଗ୍ରିନଲ୍ୟାଣ୍ଡ ଦଖଲ କରିବାକୁ ଟ୍ରମ୍ପଙ୍କ ଜିଦରେ ଇଉରୋପ ରାଷ୍ଟ୍ରସମୂହ ବିରୋଧ କରୁଛନ୍ତି। ନାଟୋ ଓ ଜାତିସଂଘକୁ ମଧ୍ୟ ଏକ ପ୍ରକାର ଅପ୍ରାସଙ୍ଗିକ କରିବାକୁ ପଛାଇନାହାନ୍ତି ଆମେରିକା ରାଷ୍ଟ୍ରପତି। ଆଗାମୀ ଦିନରେ ସୁନା ଓ ରୁପା ଦର ଆହୁରି ବଢ଼ିବ। ଆଜି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ପ୍ରତି ଆଉନସ ବା ୩୦ ଗ୍ରାମ ପିଛା ବଢ଼ି ୪ ହଜାର ୬୮୯ ଡଲାର ରହିଥିବା ବେଳେ ରୁପା ୩୦ ଗ୍ରାମ ପିଛା ହୋଇଛି ୯୪ ଆମେରିକୀୟ ଡଲାର।

