ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା କୋଦଳା NACରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଟେଣ୍ଡର ଫିକ୍ସିଂ ସାଙ୍ଗକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ହୋଇଛି ଘୋଟାଲା । ୩ ବର୍ଷରେ ୫ କୋଟି ଟଙ୍କା ଚଳୁ । ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ସଦସ୍ୟ । କୋଦଳା ଏନଏସିର ୧୦ ନମ୍ବର ୱାର୍ଡରେ ବହୁମୁଖୀ ଉଦ୍ଦେଶ୍ୟରେ ନିର୍ମିତ କୋଠାର ପାଚେରୀ ନିର୍ମାଣରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି । ସେହିପରି ହରିହର ନଗରରେ ପେଭର ରାସ୍ତା ସାଙ୍ଗକୁ ଜଝିଗାଁ ପୋଖରୀ ନାଁରେ ଟଙ୍କା ଆତ୍ମସାତ ହୋଇଛି । ୨୦୨୫ ଜାନୁୟାରୀ ମାସରୁ ଜୁଲାଇ ମଧ୍ୟରେ ୩୫ଟି ଛୋଟ ଟେଣ୍ଡର କରାଯାଇ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ଆଣିଛି ଫରୱାର୍ଡ ବ୍ଲକ । ଯେଉଁଥିରେ କୋଦଳା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ନଗରପାଳ, ଆକାଉଟାଣ୍ଟ ଓ ଯନ୍ତ୍ରୀଙ୍କ ହାତ ଥିବା ଅଭିଯୋଗ ହୋଇଛି ।
ଦୁର୍ନୀତିକୁ ନେଇ ରାଜ୍ୟ ସରକାର ଓ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଛି ଫରଓ୍ବାର୍ଡ ବ୍ଳକ । ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି କୋଦଳା ନଗରପାଳ । ଘଟଣାର ତଦନ୍ତ ଦାବି କରିବା ସହ ଦୁର୍ନୀତିର ଗନ୍ଧ ମିଳିଲେ ସେ ନଗରପାଳ ପଦବୀରୁ ଇସ୍ତଫା ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପଟେ ଅଭିଯୋଗ ମିଥ୍ୟା ପ୍ରମାଣିତ ହେଲେ ଫରଓ୍ବାର୍ଡ ବ୍ଳକ ବିରୁଦ୍ଧରେ ମାନହାନୀ ମକଦ୍ଦମା କରିବେ ବୋଲି ଚେତାବନୀ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଫରଓ୍ବାର୍ଡ ବ୍ଳକ ଓ କୋଳଦା ଏନଏସି ନଗରପାଳ ନିଜର ଉନ୍ନୟନ କାର୍ଯ୍ୟକୁ ନେଇ ତଥ୍ୟ ରଖିଥିବା ବେଳେ ଉଭୟେ ଏବେ ଆଇନର ଆଶ୍ରୟ ନେଇଛନ୍ତି । ଆଇନଗତ ଲଢେଇରେ କିଏ ବାଜି ମାରୁଛି ତାହା ଦେଖିବାକୁ ବାକି ରହିଲା ।

