ଭୁବନେଶ୍ବର : ରାଜ୍ୟରେ ସଂପୂର୍ଣ୍ଣ ବ୍ୟାନ ହେଲେ ତମାଖୁ ଓ ନିକୋଟିନ୍ଯୁକ୍ତ ସମସ୍ତ ସାମଗ୍ରୀ। ୨୦୧୩ ରୁ ଗୁଟ୍ଖା ବ୍ୟାନ ପରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ତମାଖୁ ଓ ନିକୋଟିନ୍ଯୁକ୍ତ ସମସ୍ତ ଉତ୍ପାଦ ଉପରେ କଟକଣା ଲଗାଇଛନ୍ତି। ଏସବୁ ସାମଗ୍ରୀର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ ବେଆଇନ ବୋଲି ଘୋଷଣା କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ତମାଖୁ ଓ ନିକୋଟିନଯୁକ୍ତ ସାମଗ୍ରୀର ପରିବହନ, ବିତରଣ ଓ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅନ୍ତର୍ଜାତୀୟ କର୍କଟ ଗବେଷଣା ସଂସ୍ଥା, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜର୍ଦ୍ଦା, ଖଇନି, ଗୁଟ୍ଖା ଓ ଅନ୍ୟ ତମାଖୁ ଉତ୍ପାଦର ସେବନ କର୍କଟ ରୋଗର ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି।
ଧୂଆଁହୀନ ତମାଖୁ ଯଥା ପାନ ମସଲା, ପାନ, ଗୁଆ, ଧୂଆଁପତ୍ର ଭଳି ଅନ୍ୟ ଉତ୍ପାଦ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଖରାପ। ଓଡ଼ିଶାର ୪୨% ଜନସଂଖ୍ୟା ଧୂଆଁହୀନ ତମାଖୁ ସେବନ କରୁଥିବା ନଜରକୁ ଆସିଥିଲା। ଏହା ଜାତୀୟ ହାରଠାରୁ ଦୁଇ ଗୁଣ। ଖାଦ୍ୟ ସୁରକ୍ଷା ଓ ମାନକ (ନିଷିଦ୍ଧ ଓ ବିକ୍ରି କଟକଣା) ନିୟନ୍ତ୍ରଣ, ୨୦୧୧ ଆଇନରେ ତମାଖୁ ଓ ନିକୋଟିନ୍ଯୁକ୍ତ ଉତ୍ପାଦର ବ୍ୟବହାର ଉପରେ କଟକଣା ଲଗାଯାଇଛି। ଏସବୁକୁ ବିଚାରକୁ ନେଇ ୨୦୧୩ ମସିହାରେ ରାଜ୍ୟ ସରକାର ତମାଖୁ ଓ ନିକୋଟିନ୍ ଉତ୍ପାଦ ବିକ୍ରିକୁ ରାଜ୍ୟରେ ବ୍ୟାନ କରିଥିଲେ। ହେଲେ ଗୁଟଖା କମ୍ପାନି ଗୋଟିଏ ପ୍ୟାକେଟ୍ ତମାଖୁ ଓ ଅନ୍ୟ ପ୍ୟାକେଟ୍ରେ ଆଉ ଏକ ଉତ୍ପାଦ ବିକ୍ରି କରୁଥିବା ନଜରକୁ ଆସିଥିଲା। ଲୋକେ ଏହି ଦୁଇ ସାମଗ୍ରୀକୁ ମିଶାଇ ଖାଉଥିଲେ। ଏଭଳି ତମାଖୁ ଓ ନିକୋଟିନ୍ଯୁକ୍ତ ଅନେକ ଉତ୍ପାଦ ବିଭିନ୍ନ ନାଁରେ ବଜାରରେ ଉପଲବ୍ଧ ହେଉଛି। ସୁପ୍ରିମକୋର୍ଟ ଏହା ଉପରେ ମତ ରଖିବାକୁ ସବୁ ରାଜ୍ୟକୁ ଆହ୍ବାନ କରିଥିଲେ ।
ସୁପିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତମାଖୁ ଓ ନିକୋଟିନ୍ଯୁକ୍ତ ଉତ୍ପାଦ ଉପରେ ସଂପୂର୍ଣ୍ଣ କଟକଣା ଲଗାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। । ପ୍ୟାକେଟ ହେଉ କି ବିନା ପ୍ୟାକେଟରେ ବିକ୍ରି ହେଉଥିବା ଏପରି ସାମଗ୍ରୀ ଓ ଅନ୍ୟ ଉତ୍ପାଦ ସହ ମିଶି ପାରୁଥିବା ଉତ୍ପାଦର ବିକ୍ରି ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ନୂଆ ବିଜ୍ଞପ୍ତି ଜାରି ହେବା ସହ ୨୦୧୩ ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ହଟାଇ ଦିଆଯାଇଛି।

