ରାଜଧାନୀରେ ବୁଲୁଛି ଅପହରଣକାରୀ କାର, ଟାର୍ଗେଟରେ ବରମୁଣ୍ଡାରେ ଓହ୍ଲାଉଥିବା ଯାତ୍ରର
ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ବୁଲୁଛି ଅପହରଣକାରୀ କାର I ମଉକା ପାଇଲେ କାରରେ ଆସି ଅପହରଣ ଓ ଲୁଟ କରି ମାରୁଛନ୍ତି ଚମ୍ପଟ । ଟାର୍ଗେଟରେ ବରମୁଣ୍ଡା ବସଷ୍ଟାଣ୍ଡ । ବସଷ୍ଟାଣ୍ଡକୁ ଆସୁଥିବା ବାହାର ଯାତ୍ରୀଙ୍କୁ କରୁଛନ୍ତି ନିଶାନା । ଏମିତି ଏକ ଲୁଟେରା ଗ୍ୟାଙ୍ଗର ଜଣଙ୍କୁ ବାନ୍ଧିଛି ପୋଲିସ I
ଅଭିଯୋଗକାରୀ ରାକେଶ କୁମାର ମିଶ୍ରଙ୍କ ଅଭିଯୋଗ ଅନୁସାରେ, ଭରତପୁର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ୪ ଅଭିଯୁକ୍ତ ଫେରାର ଅଛନ୍ତି । ଗତ ୨୦ ତାରିଖ ରାତିରେ ଘଟିଛି ଘଟଣା ।
ରାକେଶ ବିଳମ୍ବିତ ରାତିରେ ବ୍ରହ୍ମପୁରରୁ ଆସି ଭୁବନେଶ୍ୱର ବରମୁଣ୍ଡାରେ ଓହ୍ଲାଇଥିଲେ I ଟିକେ ଆଗକୁ ଚାଲିକି ଯାଉଥିବା ବେଳେ ହଠାତ୍ କିଛି ଯୁବକ କାରରେ ଆସି ସେଠାରେ ପହଞ୍ଚିବା ସହ ବଳପୂର୍ବକ ତାଙ୍କୁ ଅପହରଣ କରି ଅଜଣା ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ମାରଧର କରିବା ସହ ପାଖରେ ଥିବା ମୋବାଇଲ୍ ଫୋନ୍ ଓ କିଛି ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ହାତରେ ଲାଗିଛି ବଡ ସୁରାକ I ଏହି ଗ୍ୟାଙ୍ଗ ସବୁବେଳେ ବାହାର ରାଜ୍ୟର ଯାତ୍ରୀଙ୍କୁ କରୁଥିଲେ ଟାର୍ଗେଟ I ଯାହା ଫଳରେ କୌଣସି ମାମଲା ହେବ ନାହିଁ I କିଛିଦିନ ଧରି ରାତି ଅଧରେ ଏମାନେ ଏକୁଟିଆ ଯାତ୍ରୀଙ୍କୁ ଟାର୍ଗେଟ କରୁଥିଲେ I ବରମୁଣ୍ଡା ଅଞ୍ଚଳରେ ଏମାନଙ୍କ ଗ୍ରୁପ ରହିଛି । ଏମାନେ ସାଧାରଣତଃ ବରମୁଣ୍ଡା ବସଷ୍ଟାଣ୍ଡକୁ ପହଞ୍ଚିବା ପୂର୍ବରୁ ତପୋବନ ଲେନ୍ ଓ ଖଣ୍ଡଗିରି ବାଇପାସ୍ ରାସ୍ତା ପରି ନିର୍ଜନ ସ୍ଥାନରେ ସାଧାରଣ ଲୋକ ଏବଂ ଅନ୍ୟାନ୍ୟ ଯାତ୍ରୀଙ୍କୁ ଧମକ ଦେଇ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥାନ୍ତି ବୋଲି ପୋଲିସ ସୂଚନା ଦେଇଛି ।

