ବଲାଙ୍ଗୀରରେ ମଣ୍ଡି ସମସ୍ୟାର ନାହିଁ ଅନ୍ତ, ଏଜେଣ୍ଟ, ଦଲାଲ ନିର୍ଦ୍ଧାରଣ କରୁଛନ୍ତି ଚାଷୀଙ୍କ ଭାଗ୍ୟ
ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାରେ ସୁଧୁରୁନି ମଣ୍ଡି ସମସ୍ୟା । ମିଲର୍ସଙ୍କ ମନମାନି ଯୋଗୁଁ ଉଠି ପାରୁନି ଧାନ । ପେକ୍ସରେ ହଜାର ହଜାର ବସ୍ତା ଧାନ ପଡି ରହିଥିବାବେଳେ ଶୀତ କାକରରେ ଜଗି ରହିଛନ୍ତି ଚାଷୀ । ଏଜେଣ୍ଟ ଓ ଦଲାଲ କରୁଛନ୍ତି ଚାଷୀଙ୍କ ଭାଗ୍ୟ ନିର୍ଦ୍ଧାରଣ I ଜିଲ୍ଲାର ପୁଇଁତଳା ପ୍ରାଥମିକ ସମବାୟ ସମିତିରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ।
ଶୀତ କାକରରେ ନିଜ ଧାନକୁ ସୁରକ୍ଷା ଦେଉଛନ୍ତି ଚାଷୀ । କିଏ ଜରି ପାଲ ପକାଇ ରଖିଛି ତ କାହାର ଖୋଲା ଆକାଶ ତଳେ ପଡ଼ିଛି ବସ୍ତା ବସ୍ତା ଧାନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିଲେ ସୁଦ୍ଧା ୧୫ ଦିନ ପରେ ଖୋଲାଯାଇଛି ଏହି ମଣ୍ଡି । କିନ୍ତୁ ମିଲର୍ସଙ୍କ ମନମାନି ଯୋଗୁଁ ବାହାରେ ଗଦା ହୋଇ ରହିଛି ହଜାର ହଜାର ବସ୍ତା ଧାନ । ଜିଲ୍ଲାରେ ଆଜିକୁ ୪୬ ଦିନ ହେଲା ଧାନ କିଣା ପ୍ରକ୍ରିୟା ଚାଲିଥିଲେ ସୁଦ୍ଧା ୫୦ ପ୍ରତିଶତ ଚାଷୀଙ୍କ ଧାନ କିଣା ହୋଇପାରି ନଥିବା ଅଭିଯୋଗ ହୋଇଛି I
ଡିସେମ୍ବର ୫ରେ ଜିଲ୍ଲାରେ ଆରମ୍ଭ ହୋଇଥିଲା ଧାନକିଣା ପ୍ରକ୍ରିୟା । ଜିଲ୍ଲାର ଏକ ଲକ୍ଷ ୫ ହଜାର ୩୧ ଜଣ ଚାଷୀ ଧାନ ବିକ୍ରି କରିବାକୁ ପଞ୍ଜୀକରଣ କରିଛନ୍ତି I ୧୮୦ ମଣ୍ଡି ମାଧ୍ୟମରେ ଯୋଗାଣ ବିଭାଗ ପକ୍ଷରୁ ଧାନ ସଂଗ୍ରହ କରାଯାଉଛି I କିନ୍ତୁ ଅବ୍ୟବସ୍ଥା ଯୋଗୁଁ କିଛି ଚାଷୀଙ୍କ ଟୋକନ ଲାପ୍ସ ହୋଇ ଯାଇଥିବାବେଳେ ଅନେକଙ୍କ ଟୋକନ ଆସିନି । ଶୀତ କାକରରେ ପଡ଼ି ଧାନର ଆଦ୍ରତା କମୁଥିବାରୁ ୩ ରୁ ୮ କେଜି ପର୍ଯ୍ୟନ୍ତ କଟନୀ ଛଟନୀ କରାଯାଉଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ଅଖା ବସ୍ତା ହଡପ ସହ ଧାନ ଲୋଡିଂ ଅନଲୋଡିଂ ପାଇଁ ଟଙ୍କା ଦାବି କରାଯାଉଛି । ଏପରି ସ୍ଥିତିରେ ଏଜେଣ୍ଟ ଓ ଦଲାଲ ନିର୍ଦ୍ଧାରଣ କରୁଛନ୍ତି ଚାଷୀଙ୍କ ଭାଗ୍ୟ । ସେପଟେ ପେକ୍ସ ଅଧିକାରୀ କହୁଛନ୍ତି, ସବୁ ଠିକ୍ ଚାଲିଛି ।

