spot_img

Latest Posts

ଦଶାବତାର ମୂର୍ତ୍ତି ସ୍ଥାପନ ବିବାଦ: ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଜଗନ୍ନାଥ ସେନା ଖୋଲା ଚେତାବନୀ

ଦଶାବତାର ମୂର୍ତ୍ତି ସ୍ଥାପନ ବିବାଦ: ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଜଗନ୍ନାଥ ସେନା ଖୋଲା ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ତେଜିଲା ଶ୍ରୀମନ୍ଦିର ଦଶାବତାର ମୂର୍ତ୍ତି ବିବାଦ । ୨୦୧୨ରେ ଚୂନ ଛଡ଼ାଯିବା ସମୟରେ ଶ୍ରୀମନ୍ଦିର ଗୁମୁଟରୁ କଢ଼ା ଯାଇଥିଲା ଚୂନରେ ନିର୍ମିତ ଏହି ମୂର୍ତ୍ତି । ନବନ ସ୍ଥାନରେ ବୁଦ୍ଧ ରହିବେ ନା ଶ୍ରୀଜଗନ୍ନାଥ ତାକୁ ନେଇ ବିବାଦ ଦେଖା ଦେବା ପରେ ୬ ବର୍ଷ ହେଲା ସ୍ଥାପନ ହୋଇ ପାରିନାହିଁ । ଆଜି ନୂତନ ଭାବେ ନିର୍ମିତ ପଥର ମୂର୍ତ୍ତିକୁ ଆଣି ରଖିବା ସହ ଏହାକୁ ତୁରନ୍ତ ସ୍ଥାପନ କରିବାକୁ ଦାବି କରିଛି ଶ୍ରୀଜନ୍ନାଥ ସେନା । ଏକ ମାସ ଭିତରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଏହାକୁ ସ୍ଥାପନ ନକଲେ ସେନା ନିଜେ ଏହାକୁ ଲଗାଇବ ବୋଲି ଚେତାବନୀ ଦେଇଛି ।

୬ ବର୍ଷ ହେଲା ସ୍ଥାପନ ହୋଇ ପାରୁ ନାହାନ୍ତି ଦଶାବତାର ମୂର୍ତ୍ତି । ଚୂନ ଛଡ଼ାଯିବା ସମୟରେ ୨୦୧୨ରେ କଢ଼ାଯାଇଥିଲା ଚୂନ ମୂର୍ତ୍ତି । ବୀର ହରେକୃଷ୍ଣପୁରରେ ପଥର ମୂର୍ତ୍ତି ନିର୍ମାଣ ସରିଥିଲେ ବି ହେଉଛି ବିଳମ୍ବ । ସିଂହଦ୍ବାର ଆଗରେ ମୂର୍ତ୍ତି ରଖି ଜଗନ୍ନାଥ ସେନାର ପ୍ରତିବାଦ । ଦଶାବତାର ମୂର୍ତ୍ତିର ନବମ ଅବତାରରେ ବୁଦ୍ଧ ରହିବେ ନା ଜଗନ୍ନାଥ ? ଏହାକୁ ନେଇ ବିବାଦ ପରେ ୬ ବର୍ଷ ହେଲା ପୂର୍ଣ୍ଣାଙ୍ଗ ହେଉନି ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟ । ୨୦୧୨ରେ ଏଏସଆଇ ମରାମତି କରିବା ବେଳେ ଚୂନର ମୂର୍ତ୍ତିକୁ କଢ଼ା ଯାଇଥିଲା । ପରିଚାଳନା କମିଟିରେ ଶଙ୍କରାଚାର୍ଯ୍ୟ ବିବାଦର ସମାଧାନ କରିବା ପରେ ଏହାକୁ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ମୂର୍ତ୍ତି ସ୍ଥାପନର ବିଳମ୍ବ ଯୋଗୁଁ ତେଜିଛି ଅସନ୍ତୋଷ । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପ୍ରସ୍ତୁତ ହୋଇ ରହିଥିବା ମୂର୍ତ୍ତିକୁ ସିଂହଦ୍ଵାର ସମ୍ମୁଖରେ ରଖାଯାଇ ଏହାକୁ ତୁରନ୍ତ ସ୍ଥାପନ କରିବାକୁ ଦାବି ହୋଇଛି ।

ଚୂନ ମୂର୍ତ୍ତି ଭାଙ୍ଗିରୁଜି ଯାଇଥିବାରୁ ୩୫ ହଜାର ଟଙ୍କା ବ୍ୟୟରେ ବୀର ହରେକୃଷ୍ଣପୁରରେ ମୂର୍ତ୍ତି କାରିଗର ମହେନ୍ଦ୍ର ସାମଲଙ୍କୁ ଅବିକଳ ପଥର ମୂର୍ତ୍ତି ନିର୍ମାଣ କରିବାକୁ କୁହାଯାଇଥିଲା । ତେବେ ବିବାଦ ଯୋଗୁଁ ଶିଳ୍ପୀଙ୍କ ଦିଆଯାଇ ନଥିଲା ପ୍ରାପ୍ୟ । ୨୦୨୩ରେ ଶ୍ରୀଜଗନ୍ନାଥ ସେନା ନିଜସ୍ଵ ଉଦ୍ୟମରେ ଟଙ୍କା ଦେଇ ଏହାକୁ ତିଆରି କରାଇଥିଲା । ତେବେ ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହାକୁ ପ୍ରତିଷ୍ଠା କରାଯାଇ ପାରିନାହିଁ । ତେଣୁ ସିଂହଦ୍ଵାର ସମ୍ମୁଖରେ ମୂର୍ତ୍ତିକୁ ରଖି ପୂଜାର୍ଚ୍ଚନା କରିଛି ଜଗନ୍ନାଥ ସେନା । ସେପଟେ ଖୁବଶୀଘ୍ର ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇ ବିହିତ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ।

Latest Posts

Don't Miss