ନନ୍ଦିଘୋଷ ବ୍ୟୁରୋ : ନାରୀ ଅବଳା ନୁହେଁ କି ଦୁର୍ବଳା । ସବୁ ପରିସ୍ଥିତିକୁ ସେ ନିଜେ ସାମ୍ନା କରିପାରିବ। ନାରୀ ହେବ ଏବେ ଆହୁରି ଶକ୍ତିଶାଳୀ । ଏଥିପାଇଁ କଲେଜ କ୍ଷେତ୍ରରୁ ଆରମ୍ଭ ହୋଇଛି ଆତ୍ମ ସୁରକ୍ଷା ତାଲିମ ଶିବିର । ଛାତ୍ରୀମାନେ ନିଜର ସୁରକ୍ଷା ନିଜେ କରିବେ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କୋଙ୍କରଡା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଦିଆଯାଉଛି ସେଲ୍ଫ ଡିଫେନ୍ସ ଟ୍ରେନିଂ ।
ପୁଅଙ୍କ ତୁଳନାରେ କମ୍ ନୁହନ୍ତି ଝିଅ। ନିଜ ଆତ୍ମରକ୍ଷା ପାଇଁ ନିଜେ ସମର୍ଥ। ଗଞ୍ଜାମ ସାନଖେମୁଣ୍ଡି ବ୍ଲକ କୋଙ୍କରଡ। ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଦିଆଯାଉଛି ଆତ୍ମ ସୁରକ୍ଷା ତାଲିମ । ସ୍ୱତନ୍ତ୍ର ଟ୍ରେନର ଆସି ଦେଉଛନ୍ତି ସେଲ୍ଫ ଡିଫେନ୍ସ ଟ୍ରେନିଂ । ଦିନକୁ ଦିନ ଅସୁରକ୍ଷିତ ମନେ କରୁଛନ୍ତି ନାରୀ । କେତେବେଳେ ବଳାତ୍କାର ତ କେତେବେଳେ ହତ୍ୟା ଓ ନିର୍ଯାତନାର ହେଉଛନ୍ତି ଶିକାର । ତେଣୁ ସରକାର ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ଛାତ୍ରୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । କେବଳ ଶାରୀରିକ ନୁହେଁ ମାନସିକ ଭାବେ ମଧ୍ୟ ସୁରକ୍ଷା ପାଇବା ନିମନ୍ତେ ଛାତ୍ରୀଙ୍କୁ ତାଲିମ ଦେଉଛନ୍ତି ସ୍ୱତନ୍ତ୍ର ଟ୍ରେନର । ଏକ ଘଣ୍ଟା କଲେଜ ଗ୍ରାଉଣ୍ଡରେ କରୁଛନ୍ତି ପ୍ରାକ୍ଟିସ। ତାଲିମ ନେଇ ବେଶ୍ ଖୁସି ଜାହିର କରିଛନ୍ତି ଛାତ୍ରୀ ।
ନାରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି । ଶିକ୍ଷା କ୍ଷେତ୍ରରୁ ନିଜ ସୁରକ୍ଷା ପାଇଁ ଟ୍ରେନର କରାଟେ ମାଧ୍ୟମରେ ଭଳିକି ଭଳି କୌଶଳ ଶିଖାଉଛନ୍ତି । ତାଲିମ ନେବା ପରେ ଶେଷରେ ପ୍ରମାଣ ପତ୍ର ମଧ୍ୟ ଦିଆଯାଉଛି। ପାଞ୍ଚ ବର୍ଷ ଧରି ଛାତ୍ରୀ ମାନଙ୍କୁ ସ୍କୁଲ ଓ କଲେଜରେ ତାଲିମ ଦିଆଯାଉଛି ବୋଲି ସାନଖେମୁଣ୍ଡି ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପିକା କହିଛନ୍ତି। ଆତ୍ମରକ୍ଷା ପ୍ରଶିକ୍ଷଣ ନେବା ପରେ ସମସ୍ତ ପରିସ୍ଥିତିକୁ ସାମ୍ନା କରିବା ସହ ନିଜର ରକ୍ଷା ନିଜେ କରିପାରିବେ ଛାତ୍ରୀ।

