ନନ୍ଦିଘୋଷ ବ୍ୟୁରୋ : ରାତି ପାହିଲେ ମାଘସପ୍ତମୀ । ଚନ୍ଦ୍ରଭାଗାରେ ବୁଡ ପକାଇବେ ହଜାର ହଜାର ଶ୍ରଦ୍ଧାଳୁ । କୋଣାର୍କକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପରମ୍ପରା ଅନୁଯାୟୀ ମାଧିପୂରର ତ୍ରିବେଣୀଶ୍ଵର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ଵର ମହାଦେବ ଓ କୁରୁଜଙ୍ଗର ଦକ୍ଷିନେଶ୍ବର ମହାଦେବଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ପରେ ଶ୍ରଦ୍ଧାଳୁ ମାନେ ବୁଡ ପକାଇବେ ।
ଆସନ୍ତାକାଲି ମାଘସପ୍ତମୀ । ଚନ୍ଦ୍ରଭାଗା ବୁଡ ପାଇଁ ଚଳଚଞ୍ଚଳ କୋଣାର୍କ । କାଲି ପ୍ରତ୍ୟୁଷରୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥରେ ବୁଡ ପକାଇବେ ହଜାର ହଜାର ଶ୍ରଦ୍ଧାଳୁ । ଏଥିପାଇଁ ତିନି ଠାକୁରଙ୍କ ସେବକ ମାନଙ୍କ ଉପସ୍ଥିତିରେ ସରିଛି ନୀତି ନିର୍ଘଣ୍ଟ । ଆଜି ରାତ୍ରିରେ ତିନି ଠାକୁର ବିମାନରେ ବିଜେ କରି ରାତ୍ର ଏକ ଘଟିକରେ କୋଣାର୍କ ଏନଏସି ଭୋଗ ମଣ୍ଡପରେ ଭୋଗ ଖାଇବେ । ପରେ ପାରମ୍ପାରିକ ଶୋଭାଯାତ୍ରାରେ ତିନି ଠାକୁର ଚନ୍ଦ୍ରଭାଗା ଗସ୍ତ କରି ରାତ୍ର ୪ ଟା ମଧ୍ୟରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବା ପରେ ୪ ଟା ୪୧ ମିନିଟରେ ତିନି ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ସମାପନ ହେବ । ପରେ ସମସ୍ତ ସାଧୁସନ୍ଥ ଓ ଭକ୍ତ ମାନେ ବୁଡ ପକାଇବେ । ପ୍ରତିବର୍ଷ ପରି ଚଳିତ ବର୍ଷ ବୁଡକୁ ଶୃଙ୍ଖଳିତ କରିବା ପାଇଁ ତୀର୍ଥ ପୁଷ୍କରଣୀ ଖନନ ହୋଇଛି । କୋଣାର୍କ ଏନଏସି ପକ୍ଷରୁ ତୀର୍ଥ ଜଳର ବିଶୋଧନ ପାଇଁ ବ୍ଲିଚିଂ ପକାଇବା କାର୍ଯ୍ୟ ଶେଷ ହୋଇଛି । ମାଘ ବୁଡ଼ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ପୁରୀ ଜିଲ୍ଲାପାଳ ମେଳା ପଡ଼ିଆ ଓ ତୀର୍ଥ ପୁଷ୍କରଣୀର ସ୍ଥିତି ସମୀକ୍ଷା କରିଛନ୍ତି ।
ପୌରାଣିକ ମତରେ ଏହି ଦିନରେ ସୂର୍ଯ୍ଯ ଭଗବାନ ଜନ୍ମଗ୍ରହଣ କରିଥିଲେ । ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ଶାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ । ତେଣୁ ଶ୍ରଦ୍ଧାଳୁ ମାନେ ନିଜ ପରିବାରକୁ ରୋଗ ମୁକ୍ତ ରଖିବା ପାଇଁ ଚନ୍ଦ୍ରଭାଗା ତୀର୍ଥରେ ବୁଡ ପକାଇ ସୂର୍ଯ୍ଯଦୋୟ ଦର୍ଶନ କରିଥାନ୍ତି । ସେପଟେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଉଦୟ ମଠ ପରିସରରେ ଆଧାତ୍ମିକ ପରିବେଶ। ଗୋଟିଏ ସ୍ଥାନରେ ଶ୍ରୀଜୀଉଙ୍କର ୧୦ପ୍ରକାର ବେଶ । ମହାପ୍ରଭୁଙ୍କ ବେଶ ଦର୍ଶନ କରି କୃତାର୍ଥ ଶ୍ରଦ୍ଧାଳୁ ।

