କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ନିଆଳିଝରଣ ଗାଁରେ ହୋଇଥିବା ଟ୍ରିପଲ ମର୍ଡର ପଛର କାରଣ ଗୁଣିଗାରେଡି ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଦାଦାପୁଅ ଭାଇର କୁରାଢୀ ଚୋଟରେ ଭାଇ, ଭାଉଜ ଓ ଝିଆରୀର ମୃତ୍ୟୁ ହୋଇଥିଲା । ଗତକାଲି ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡ ପଛରେ ଗୁଣିଗାରେଡି ସନ୍ଦେହ ବୋଲି ଅନୁମାନ କରାଯାଉଛି । ନିଆଳିଝରଣ ଗାଁର ଲକ୍ଷ୍ଣଣ ସୋରେନଙ୍କ ଭଉଣୀଙ୍କ ନିୟମିତ ଦେହ ଖରାପ ହେଉଥିଲା । ଏହା ଗୁଣିଗାରେଡି ଜନିତ ବୋଲି ଲକ୍ଷ୍ଣଣ ସୋରେନଙ୍କ ପରିବାର ସନ୍ଦେହ କରୁଥିଲେ । ଗୁଣିଗାରେଡି ଦାଦାପୁଅ ଭାଇ ଜିତେନ୍ଦ୍ର ସୋରେନଙ୍କ ପରିବାର କରୁଥିବା ମଧ୍ୟ ସନ୍ଦେହ ଦୃଢୀଭୂତ ହୋଇଥିଲା ।
ଗତକାଲି ଏହି ସନ୍ଦେହରୁ ଲକ୍ଷ୍ଣଣ ସୋରେନ ଏକ କୁରାଢୀ ଧରି ଜିତେନ୍ଦ୍ର ସୋରେନଙ୍କ ଘରେ ପଶି ଆତଙ୍କ ସୃଷ୍ଟି କରିଥିଲେ । ପ୍ରଥମେ କୁରାଢୀ ଚୋଟରେ ୫୦ ବର୍ଷ ବୟସ୍କ ଦାଦା ପୁଅ ଭାଇ ଜିତେନ୍ଦ୍ର ସୋରେନଙ୍କୁ ଆକ୍ରମଣ କରିଥିଲା ଲକ୍ଷ୍ଣଣ । ଲକ୍ଷ୍ଣଣର କୁରାଢୀ ଚୋଟରେ ଜିତେନ୍ଦ୍ର ଟଳିପଡିଥିଲେ । ଏହାର ପ୍ରତିବାଦ କରିଥିଲେ ଜିତେନ୍ଦ୍ରଙ୍କ ୪୫ ବର୍ଷ ବୟସ୍କା ପତ୍ନୀ ମାଳତୀ ସୋରେନ ଓ ୧୫ ବର୍ଷ ବୟସ୍କା ମଝିଆଁ ଝିଅ ସସ୍ମିତା ସୋରେନ । ରକ୍ତମୁଖା ଲକ୍ଷ୍ଣଣ ମାଳତୀ ଓ ସସ୍ମିତାଙ୍କୁ ମଧ୍ୟ ଛାଡିନଥିଲା । ତୁହାକୁ ତୁହା କୁରାଢୀ ମାଡ଼ରେ ମାଳତୀ ଓ ସସ୍ମିତା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ସେତେବେଳକୁ ଘରେ ମୃତ ଜିତେନ୍ଦ୍ରଙ୍କ ବିବାହିତା ବଡ଼ ଝିଅ ଓ ସବା ସାନ ଝିଅ ମଧ୍ୟ ଉପସ୍ଥିତ ଥିଲେ । ତେବେ ସେମାନେ ଭୟଭୀତ ହୋଇ ଦୌଡ଼ି ଦୌଡ଼ି ନିକଟସ୍ଥ ଏକ ଗାଁକୁ ଚାଲିଯାଇଥିଲେ । ଏହି ଘଟଣା ଘଟିବାବେଳେ ସେଠାରେ ଆକ୍ରମଣକାରୀ ଲକ୍ଷ୍ଣଣ ସୋରେନର ଭଉଣୀ ମଧ୍ୟ ଉପସ୍ଥିତ ଥିଲା । ତିନି ଜଣଙ୍କ ମୃତ୍ୟୁ ଦେଖି ସେ ଅଚେତ ହୋଇପଡିଥିଲା । ତାକୁ ଡାକ୍ତରଖାନା ନେବା ପାଇଁ ଆକ୍ରମଣକାରୀ ଲକ୍ଷ୍ଣଣର ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ୧୦୮ ଆମ୍ବୁଲାନ୍ସରେ ଲକ୍ଷ୍ଣଣର ଭଉଣୀଙ୍କୁ ଡାକ୍ତରଖାନା ନେଉଥିବାବେଳେ ଏହି ହତ୍ୟାକାଣ୍ଡ ସଂପର୍କରେ ଖବର ଜଣାପଡିଥିଲା । ପରେ ପୋଲିସ ଖବର ପାଇ ନିଆଳିଝରଣ ଗାଁରେ ପହଞ୍ଚି ୩ଟି ଶବ ଜବତ କରିବା ସହ ସେଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଆକ୍ରମଣକାରୀ ଲକ୍ଷ୍ଣଣକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ । ଆଜି ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚିବ ।

