ରାସ୍ତା ଉପରେ ପଡ଼ିରହିଛି ବଡ଼ବଡ଼ ମେଣ୍ଟାଲ । ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ । ଖାଲଖମାରେ ଜୀବନକୁ ବାଜି ଲଗାଇ ଯାଆସ କରୁଛନ୍ତି ଲୋକେ । ଏ ହେଉଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିକୁ ସଂଯୋଗ କରୁଥିବା ରାସ୍ତା । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ରାସ୍ତା ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବାରୁ ଏହି ରାସ୍ତାରେ ଦୈନିକ ଶହ ଶହ ଲୋକ ଯାତାୟାତ କରିଥାନ୍ତି । ହେଲେ ଗତ କିଛି ମାସ ମଧ୍ୟରେ ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ରାସ୍ତା ଧୋଇ ହୋଇ ପିଚୁ ଉଠି ଖାଲଖମାରେ ଭର୍ତ୍ତି ହୋଇଯାଇଛି । ତୁରନ୍ତ ରାସ୍ତା ମରାମତି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।
ରା.ଉଦୟଗିରି ବ୍ଲକର ସିଆଳିଲଟି ଓ ପୁରୁଣାପାଣି ପଞ୍ଚାୟତ ଏକ ଅନୁନ୍ନତ ଓ ଅପହଞ୍ଚ ଅଞ୍ଚଳ । ଏହି ଅଞ୍ଚଳର ବିକାଶ ଓ ଗମନାଗମନର ସୁବିଧା ଦୃଷ୍ଟିରୁ ଏହି ରାସ୍ତା ନିର୍ମାଣ କରିଥିଲେ ତତ୍କାଳୀନ ସରକାର। ହେଲେ ପ୍ରାକୃତିକ ବିପର୍ଯ୍ୟୟରୁ ରାସ୍ତା ଖରାପ ହୋଇପଡିଛି । ଅନେକ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଛି । ରାସ୍ତା ମରାମତି ପାଇଁ ପ୍ରଶାସନ ନିକଟରେ ସ୍ଥାନୀୟ ଲୋକ ଅନେକ ଥର ଗୁହାରି କଲେଣି ହେଲେ ଫଳ ଶୂନ । ଅନ୍ୟପଟେ ସମାଧାନର ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ । ଲୋକଙ୍କ ଦାବିକୁ କେବେ ପ୍ରଶାସନ ହୃଦୟଙ୍ଗମ କରୁଛି ? କେବେ ରାସ୍ତା ମରାମତି ହେଉଛି ? ତାହା ଉପରେ ସମସ୍ତଙ୍କ ନଜର ରହିଛି ।

