ବେଦାନ୍ତ କଳିଙ୍ଗ ଲାନସର୍ସ ହକି ଇଣ୍ଡିଆ ଲିଗ ଚାମ୍ପିଅନ
ନନ୍ଦିଘୋଷ ବ୍ୟୁରୋ: ହକି ଇଣ୍ଡିଆ ଲିଗ ଚାମ୍ପିଅନ ହେଲା ବେଦାନ୍ତ କଳିଙ୍ଗ ଲାନସର୍ସ । ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଫାଇନାଲ୍ ମ୍ୟାଚରେ ରାଞ୍ଚି ରୟାଲ୍ସକୁ ୩- ୨ରେ ହରାଇ ଚାମ୍ପିଅନ ହୋଇଛି କଳିଙ୍ଗ ଲାନସର୍ସ । ଏହାକୁ ମିଶାଇ ଦଳ ଦ୍ଵିତୀୟ ଥର ଚାମ୍ପିଅନ ହୋଇଛି । ଏହା ପୂର୍ବରୁ ଦଳ ୨୦୧୭ରେ ମଧ୍ୟ ଚାମ୍ପିଅନ ହୋଇଥିଲା ।
ଗତକାଲି ହୋଇଥିବା ଫାଇନାଲ ମ୍ୟାଚରେ ଆରମ୍ଭରୁ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲା କଳିଙ୍ଗ ଲାନସର୍ସ । ମାତ୍ର ୪ ମିନିଟରେ ଏକ ପେନାଲଟି ଗୋଲ ଦେଇ ଦଳ ୧-୦ ରେ ଆଗୁଆ ରହିଥିଲା । ପରେ ରାଞ୍ଚି ଟିମ୍ ୯ ମିନିଟରେ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲା । ଦ୍ଵିତୀୟ କ୍ଵାର୍ଟରରେ କଳିଙ୍ଗ ଲାନସର୍ସଙ୍କୁ ପଛକୁ ପଛ ୩ଟି ପେନାଲଟି ମିଳିଥିଲା । ଆଉ ଗୋଟିଏ ଗୋଲ କରିଥିଲା କଳିଙ୍ଗ ଲାନସର୍ସ । ଦିଲପ୍ରୀତ ସିଂଙ୍କ ଏହି ଗୋଲ ବଳରେ ଦଳକୁ ୨-୧ ରେ ଅଗ୍ରଣୀ କରାଇଥିଲା । ପରେ ପୁଣି ଦୁଇଟି ବ୍ୟାକ ଟୁ ବ୍ୟାକ ପେନାଲଟିରୁ ଗୋଟିଏ ଗୋଲ କରି ଦଳକୁ ୩-୧ ରେ ଆଗୁଆ କରିଥିଲେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ । ଶେଷରେ ୩-୨ ରେ ଟାଇଟଲ ଜିତିଛି ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନସର୍ସ । ଚାମ୍ପିଅନ ଟିମକୁ ସ୍ଵର୍ଣ୍ଣ ପଦକ ସହ ୩ କୋଟି ଟଙ୍କାର ପୁରସ୍କାର ରାଶି ମିଳିଛି ।

