ନନ୍ଦିଘୋଷ ବ୍ୟୁରୋ : ଆଗାମୀ ବଜେଟ ଅଧିବେଶନରେ ସଂସଦରେ ରାଜ୍ୟସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇବ । ଏଥିରେ ଚାଷୀ ସମସ୍ୟା ଓ ଆଇନଶୃଙ୍ଖଳା ମୁଖ୍ୟ ପ୍ରସଙ୍ଗ ରହିବ ବୋଲି କହିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଓଡ଼ିଶାର ଚାଷୀ ଏବେ ଚିନ୍ତାରେ ଅଛି । ମଣ୍ଡି ବନ୍ଦ ପଡିଛି । ଧାନ କିଣା ହୋଇପାରୁନି । କଟନୀ ଛଟନୀ ଯୋଗୁଁ ଚାଷୀ କ୍ବିଣ୍ଟାଲ ପିଛା ୮ରୁ ୧୦ କେଜି କ୍ଷତି ସହୁଛି । ଚାଷୀ ତାର ଉଚିତ ମୂଲ୍ୟ ପାଉନି । ସାର କୃଷକଙ୍କ ପାଖରେ ପହଞ୍ଚିପାରୁନି । ୩ହଜାର ଟଙ୍କା ଏମଏସପି ଦିଆଯାଉଛି ବୋଲି କୁହାଯାଉଛି ହେଲେ ତାହା ଚାଷୀ ପାଉନି ବୋଲି ଭିଯୋଗ କରିଛନ୍ତି ସସ୍ମିତ । ସେହିପରି ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ହେଲା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି । ନାରୀ ନିର୍ଯାତନା ବୃଦ୍ଧି ପାଇଛି । ଶିଶୁ ଏଠି ଅସୁରକ୍ଷିତ । ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି । କହିବାକୁ ଗଲେ ରାଜ୍ୟ ସରକାର ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଫେଲ ମାରିଛି । ମହାନଦୀ, ପୋଲାଭରମ ପ୍ରସଙ୍ଗର ସମାଧାନ ବାହାରିପାରୁନି । କୋଇଲା ରୟଲିଟି ନେଇ ୧୦ ବର୍ଷ ହେଲା ରିଭିଜନ ହୋଇନି, ସ୍ବତନ୍ତ୍ର ରାଜ୍ଯ ମାନ୍ୟତା ଦାବି କେନ୍ଦ୍ର ପାଖରେ ପଡିରହିଛି । ଜାତୀୟ ରାଜପଥ, ରେଳବାଇ, ଡିଜିଟାଲ ଓ ମୋବାଇଲ ସଂଯୋଗୀକରଣରେ ଓଡ଼ିଶା ପଛୁଆ ଅଛି । ବେକାରୀ ସମସ୍ୟା ଉତ୍କଟ ହେଲାଣି । ଏସବୁ ପ୍ରସଙ୍ଗ ଉପରେ ବିଜେଡି ସଂସଦରେ ଉତ୍ଥାପନ କରିବ । ମନରେଗା ନୂଆ ଆଇନରେ ସମସ୍ତଙ୍କୁ କାମ ମିଳିବନି ବୋଲି ବିଜେଡି ସନ୍ଦେହ କରିଛି । କ୍ୟାପିଂ ସିଷ୍ଟମ ଯୋଗୁଁ ଏହା ବାସ୍ତବ କ୍ଷେତ୍ରରେ ଲାଗୁ କରିବାରେ କଠିନ ହେବ । ଖର୍ଚ୍ଚ ଭାର ମଧ୍ୟ ରାଜ୍ୟ ଉପରେ ଲଦି ଦିଆଯାଇଛି । ଏହା ଉପରେ ଅଧିକ ବିଚାରବିମର୍ଶ କରିବାର ଅଛି । ତେଣୁ ଆଗାମୀ ଦିନରେ ବିଜେଡି ଏହା ଉପରେ ଅଧିକ କାମ କରିବ ବୋଲି କହିଛନ୍ତି ସସ୍ମିତ ।

