ଚଣ୍ଡିଗଡ଼ ନଗର ନିଗମର ମେୟର ନିର୍ବାଚନର ଭାରତୀୟ ଜନତା ପାର୍ଟି ସହଜରେ ବିଜୟ ହାସଲ କରିଛି । ବିଜେପିର ସୌରଭ ଜୋଶୀ ଚଣ୍ଡିଗଡ଼ର ନୂଆ ମେୟର ହେବେ । ସୌରଭ ହେଉଛନ୍ତି ପଞ୍ଜାବ ବିଜେପିର ଷ୍ଟେଟ ମିଡ଼ିଆ ହେଡ ବିନୀତ ଜୋଶୀଙ୍କ ଭାଇ । ବିଜେପିର ଜସମନପ୍ରୀତ ସିଂହ ଚଣ୍ଡିଗଡ଼ର ସିନିୟର ଡେପୁଟୀ ମେୟର ଓ ସୁମନ ଶର୍ମା ଡେପୁଟୀ ମେୟର ଭାବେ ନିର୍ବାଚିତ ହୋଇଛନ୍ତି ।
ମେୟର ନିର୍ବାଚନ ପାଇଁ ନଗର ନିଗମର ୩୫ ଜଣ କାଉନସିଲର ଓ ଚଣ୍ଡିଗଡ଼ର ସାଂସଦ ଆଜି ମତଦାନ କରିଥିଲେ । ଏଥର ସିକ୍ରେଟ ବାଲାଟ ପେପର ବଦଳରେ ଓପନ ଭୋଟିଂ କରାଯାଇଥିଲା, ଯେଉଁଥିରେ କି କାଉନସିଲରମାନେ ସିଟରେ ହାତ ଉପରକୁ ଉଠାଇ ନିଜର ଭୋଟ ଦେଇଥିଲେ । ନିର୍ବାଚନରେ ବିଜେପିର ସୌରଭ ଜୋଶୀଙ୍କୁ ୧୮ଟି ଭୋଟ ମିଳିଥିଲା । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ପକ୍ଷରେ ୭ଟି ଭୋଟ ଓ ଆମ୍ ଆଦମୀ ପାର୍ଟି ଖାତାରେ ୧୧ଟି ଭୋଟ ପଡ଼ିଥିଲା । ଚଣ୍ଡିଗଡ଼ର ସାଂସଦ ମନୀଷ ତିଓ୍ବାରୀ କଂଗ୍ରେସ ପ୍ରାର୍ଥୀ ଗୁରୁପ୍ରୀତ ସିଂହ ଗାବୀଙ୍କ ସମର୍ଥନରେ ଭୋଟ ଦେଇଥିଲେ ।

