ବନ୍ଦ ଘରେ ଯୁବତୀଙ୍କୁ ଅସଦାଚରଣ । ତାନ୍ତ୍ରିକ ଗିରଫ । ତନ୍ତ୍ର ପୂଜା କରି ଘର ଭିତରେ ରିଷ୍ଟ ଖଣ୍ଡନ ଆଳରେ ତାନ୍ତ୍ରିକ ଜଣେ ଯୁବତୀଙ୍କୁ ଘର ଭିତରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୁରୀଘାଟ ଥାନା ପୁଲିସ ଜଗତସିଂହପୁର ଜିଲ୍ଲା ବିରିଡ଼ି ଅଞ୍ଚଳର ଜଗନ୍ନାଥ ନାୟକକୁ ଗିରଫ କରିଛି । କଟକ ସାଆନ୍ତ ସାହିର ଜଣେ ଯୁବତୀଙ୍କ ଘରେ ଆର୍ଥିକ ସମସ୍ୟା, ପାରିବାରିକ ବିବାଦ ଲାଗି ରହିଥିଲା । ଜଣେ ସମ୍ପର୍କୀୟଙ୍କ ପରାମର୍ଶ ଅନୁଯାୟୀ ଯୁବତୀ ଜଣକ ତାନ୍ତ୍ରିକ ଜଗନ୍ନାଥକୁ ଯୋଗାଯୋଗ କରିଥିଲେ । ଏହାପରେ ତାନ୍ତ୍ରିକ ଜଗନ୍ନାଥ ଯୁବତୀଙ୍କ ଘର ଭିତରେ ତନ୍ତ୍ର ପୂଜା କରି ରିଷ୍ଟ ଖଣ୍ଡନ କରିବାକୁ ପାଖାପାଖି ୭୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲା । ଏଥିପାଇଁ ଜଗନ୍ନାଥ ପ୍ରଥମେ ୨୫ ହଜାର ଟଙ୍କା ନେଇଥିଲା । ଗତ ମଙ୍ଗଳବାର ସନ୍ଧ୍ୟାରେ ସେ ଯୁବତୀଙ୍କ ଘରେ ଆସି ପୂଜା କରିଥିଲା । ଠିକ୍ ଏହି ସମୟରେ ଯୁବତୀଙ୍କୁ ସେ ଘର ଭିତରେ ଅସଦାଚରଣ କରିଥିଲା । ଯୁବତୀ ଜଣକ ଚିତ୍କାର କରିବାରୁ ତାନ୍ତ୍ରିକ ଫେରାର ହୋଇଯାଇଥିଲା । ଏସଂକ୍ରାନ୍ତରେ ଯୁବତୀ ଜଣକ ପୁରୀଘାଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ଜଗନ୍ନାଥକୁ ଗିରଫ କରିଛି ।

